ଭୁବନେଶ୍ୱର: ଦୀର୍ଘ କେତେ ବର୍ଷ ପରେ ସାରା ଓଡ଼ିଶାରେ ଖରିଫ୍ ଧାନ ଫସଲ ଖୁବ୍ ଭଲ ହୋଇଥିଲା। ବର୍ଷା ଅଭାବ ଯୋଗୁଁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ମୁଣ୍ଡ ଝାଳ ତୁଣ୍ଡରେ ମାରି ଜମିରେ ସୁନା ଫଳାଇଥିଲେ ଚାଷୀ। କ୍ଷେତରେ ହସୁଥିଲା ସୁନାର ଫସଲ। ଚାଷୀ ବଡ଼ ଆନନ୍ଦିତ ଥିଲା। ତେବେ, ହଠାତ୍ ଠିକ୍ ଅମଳ ସମୟରେ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା କୃଷକ ଉପରେ ଦାଉ ସାଧିଲା। ଧାନଠୁ ପରିବା ଯାଏଁ ସବୁକିଛି ବର୍ବାଦ କରିଦେଲା ଅଦିନିଆ ଲଘୁଚାପ ବର୍ଷା। ସବୁଆଡ଼େ ହାହାକାର। ଅର୍ଦ୍ଧାଧିକ ଧାନ କଟାହୋଇ ଜମିରେ ପଡ଼ିରହିଲା। ଜମିରେ ବର୍ଷାପାଣି ଲହଡ଼ି ଭାଙ୍ଗିଲା। ସେଇ ଲହଡ଼ି କୃଷକର ଭାଗ୍ୟ ସହ ଖେଳ ଖେଳିଲା। ଲଗାତର ଦୁଇଦିନ ପ୍ରଥମ ଲଗାଣ ବର୍ଷାରେ ଭିଜିଥିବା ଧାନକୁ କୃଷକ ପାଣିରୁ ଛାଣି ଆଣିବାକୁ ଚେଷ୍ଟା କଲା। ଧାନ କାଟି ବିଲରେ, ହିଡ଼ ଉପରେ କିମ୍ବା ରାସ୍ତା ଉପରେ ପାଲ ଘୋଡ଼ାଇ ରଖିଲା। ତେବେ, ଏଭଳି ଦୁର୍ଦ୍ଦିନ ପରିସ୍ଥିରେ ଯାହାକିଛି ଅମଳ ହୋଇଥାଆନ୍ତା, ପୁଣି ଦ୍ଵିତୀୟ ଲଗାଣ ବର୍ଷା ସବୁକିଛି ସାରିଦେଲା। ଧାନ ଗଛ ଗୁଡ଼ିକ ସଢ଼ିଗଲା। କେଣ୍ଡାରେ ଥାଇ ଧାନ ଝଡ଼ିଗଲା। କଟା ହୋଇ ବିଲ ଭିତରେ, ହିଡ଼ ଉପରେ କିମ୍ବା ରାସ୍ତା ଉପରେ ପାଲ ଘୋଡ଼ାଇ ରଖାଯାଇଥିବା ଧାନ ଗୁଡ଼ିକ ଗଜା ହୋଇଗଲା। ଚାଷୀଟିର ବର୍ଷ ସାରାର ଝାଳବୁହା ପରିଶ୍ରମ ମାଟିରେ ମିଶିଗଲା। ଧାନବୁଣାର ପ୍ରାକ୍ ପ୍ରସ୍ତୁତି ଠାରୁ ଧାନ ଅମଳ ପର୍ଯ୍ୟନ୍ତ ଚାଷୀଟିଏ ଖରା ବର୍ଷାକୁ ଖାତିର ନକରି ମାଟି ସଙ୍ଗେ ମାଟି ହୋଇ ମୁଣ୍ଡ ଝାଳ ତୁଣ୍ଡରେ ମାରି ଆଜି ପାଇଲା ବେଳକୁ ହାତ ପାଆନ୍ତାରୁ ତାର କଷ୍ଟଲବ୍ଧ ଫଳ, ସୁନାର ଫସଲ ଭାସିଗଲା। ସାରା ଓଡ଼ିଶାରେ ଏପରି ସ୍ଥିତି ଉପୁଜିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ତେଣୁ ଖୋର୍ଦ୍ଧା ଜିଲ୍ଲାର ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି ଏହି ବର୍ଷା। ଚାଷୀ କୂଳର ଆଜିର ଏହି ଦୁଃଖଦ ପରିସ୍ଥିତିର ବାସ୍ତବତାକୁ ଉପଲବ୍ଧି କରି ସରକାର ସୁହୃଦୟତାର ସହିତ ବିଚାର କରନ୍ତୁ। ସମସ୍ତ କୃଷିୠଣ ଛାଡ଼ ସହିତ ଚାଷୀକୁ ଉଚିତ୍ ମୂଲ୍ୟର କ୍ଷତି ପୁରଣ ଦିଅନ୍ତୁ ବୋଲି ଚାଷୀ ମାନଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାର ସ୍ଥାନୀୟ ଜନ ପ୍ରତିନିଧି ମାନେ ଦାବୀ କରିଛନ୍ତି।