କଟକ: ପୁଅ ଓ ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ି ଦେବା ଘଟଣାରେ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ହୋଇଥିବା ବେଳେ ଏବେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ ଘଟିଛି। ବାରଙ୍ଗ ଥାନା ବାରସିଙ୍ଗା ଗାଁ’ରେ ଘଟିଥିଲା ଏହି ଜଘନ୍ୟକାଣ୍ଡ। ଘରୋଇ କଳିକୁ କେନ୍ଦ୍ରକରି ପୁଅ ଓ ବୋହୂଙ୍କୁ ପେଟ୍ରୋଲ ପକାଇପୋଡ଼ି ଦେଇଥିଲା ନୃଶଂସ ବାପା। ସୂଚନା ମୁତାବକ, ଗତ ସପ୍ତାହରେ ବାରଙ୍ଗ ଗୋଡିସାହି ବାରସିଙ୍ଗା ଗାଁ’ରେ ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧ ବାପା ଗୋବର୍ଦ୍ଧନ ରାଉତ ପୁଅ ଓ ବୋହୂଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ପୁଅ ବୋହୂଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଅ ଦୀନବନ୍ଧୁ ରାଉତଙ୍କ ଶରୀରର ୫୦%ରୁ ଅଧିକ ପୋଡ଼ି ଯାଇଥିବା ବେଳେ ବୋହୂଙ୍କ ଶରୀରର ପ୍ରାୟ ୭୦%ରୁ ଅଧିକ ପୋଡ଼ି ଯାଇଥିଲା। ଉଭୟଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଗତ ରବିବାର ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ ବୋହୁ। ସେପଟେ ଏବେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେପଟେ ଘଟଣା ଘଟାଇଥିବା ଅଭିଯୁକ୍ତ ଗୋବର୍ଦ୍ଧନ ମଧ୍ୟ ଆହତ ହୋଇଥିବା ବେଳେ ପୋଲିସ ହେପାଜତରେ ରହି ଏସସିବିରେ ଚିକିତ୍ସିତ ହେଉଛି।
ଖବର ମୁତାବକ, ପୁଅକୁ ୫ ହଜାର ଟଙ୍କା ମାଗିଥିଲେ ବାପା ହେଲେ ପୁଅ ନଦେବାରୁ ପ୍ରତିଶୋଧ ପରାୟଣ ହୋଇ ପୁଅ-ବୋହୂ ଶୋଇଥିବା ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇ କବାଟ ବନ୍ଦ କରି ଦେଇଥିଲା ନୃଶଂସ ବାପା। ତେବେ, ଏହି ସମୟରେ ସୌଭାଗ୍ୟ ବଶତଃ ଦୀନବନ୍ଧୁଙ୍କ ୫ ବର୍ଷର ପୁଅ ରକ୍ଷା ପାଇଯାଇଛି।