ରାଉରକେଲା: ରାଉରକେଲାରେ ଗତ ସପ୍ତାହକ ମଧ୍ୟରେ ଦୁଇଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଏବଂ ଜଣେ ନାବାଳିକା ଛାତ୍ରୀଙ୍କୁ କ୍ରୀଡ଼ା ଶିକ୍ଷକଙ୍କ ଅସଦାଚରଣ ପରି ଘଟଣା ସହରବାସୀଙ୍କ ମନରୁ ଲିଭି ନଥିବା ବେଳେ ଏବେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ବିଳମ୍ୱିତ ରାତିରେ ଜଣେ ନାବାଳିକା ଡିପ୍ଲୋମା ଇଂଜିନିୟରିଂ ଛାତ୍ରୀଙ୍କୁ ମଦ୍ୟପାନ କରାଇ ନିଶାସକ୍ତ ଅବସ୍ଥାରେ ତାଙ୍କର ଦୁଇ ଜଣ ପୁରୁଷ ବନ୍ଧୁଙ୍କ ସମେତ ୫ ଜଣ ଗଣଦୁଷ୍କର୍ମ କରିଥିବା ଘଟଣା ଘଟିଛି। ଏହାକୁ ନେଇ ମଙ୍ଗଳବାର ରଘୁନାଥପାଲୀ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏନେଇ ପୋକ୍ସୋ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ମୁତାବକ ରାଉରକେଲା ମେନ୍ରୋଡ ଅଞ୍ଚଳରେ ପରିବା ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତିଙ୍କ ନାବାଳିକା ଝିଅ (୧୭ ବର୍ଷ) ରବିବାର ସନ୍ଧ୍ୟାରେ ମଲ୍ ଯାଉଛି ବୋଲି କହି ଘରୁ ଯାଇଥିଲେ। ପରେ ସେ ତା’ର ଦୁଇ ଜଣ ପୁରୁଷ ବନ୍ଧୁ ସହ ସିଭିଲ ଟାଉନସିପସ୍ଥିତ ଏକ ହୋଟେଲକୁ ଯାଇଥିଲା। ସେଠାରେ ସେମାନେ ଖିଆପିଆ ଏବଂ ମଦ୍ୟପାନ କରି ନୃତ୍ୟ କରିଥିଲେ। ଯାହାକି ହୋଟେଲ ସିସିଟିଭି ଫୁଟେଜରୁ ପୁଲିସ ଜାଣିବାକୁ ପାଇଛି। ଏହାପରେ ରାତି ପ୍ରାୟ ୧୧ଟା ବେଳେ ସେମାନେ ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଆରଏମସି ପାର୍କକୁ ବାଇକରେ ଆସିଥିଲେ। ସେଠାରେ ଉକ୍ତ ୨ ଜଣ ଯୁବକ ନାବାଳିକା ଛାତ୍ରୀକୁ ଗଣଦୁଷ୍କର୍ମ କରିଥିଲେ ବୋଲି ଏତାଲାରେ ଅଭିଯୋଗ କରିଛି। ଏହାପରେ ସେଠାରେ ଆଉ ୩ ଜଣ ଯୁବକ ପହଞ୍ଚି ମଧ୍ୟ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ୫ ଜଣ ଦୁଷ୍କର୍ମକାରୀ ପୀଡ଼ିତାକୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ। ପୀଡ଼ିତା ବିଳମ୍ୱିତ ରାତିରେ ଘରକୁ ଫେରିଥିଲେ। ରବିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ମଙ୍ଗଳବାର ରଘୁନାଥପାଲୀ ଥାନାରେ ଅଭିଯୋଗ ହୋଇଛି।
ତା ପ୍ରତି ହୋଇଥିବା ଗଣଦୁଷ୍କର୍ମ ବିଷୟରେ ଲିଖିତ ଅଭିଯୋଗ କରିଥିଲେ। ଯାହାକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ୫ ଜଣ ଦୁଷ୍କର୍ମକାରୀଙ୍କୁ ଇତି ମଧ୍ୟରେ ଚିହ୍ନଟ କରିସାରିଥିବା ସୂଚନା ମିଳିଛି। ରଘୁନାଥପାଲୀ, ପ୍ଲାଣ୍ଟସାଇଟ୍ ଥାନା ପୁଲିସ, ସାଇଣ୍ଟିଫିକ ପୁଲିସ ଟିମ୍, ପୁଲିସ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଚଳାଇଛି। ତେବେ, ଯଦି ଘଟଣା ୨୨ ତାରିଖରେ ହୋଇଥିଲା, ତେବେ ପୀଡ଼ିତା ବା ତାଙ୍କ ପରିବାର ଏତେଦିନ ଚୁପ୍ କାହିଁକି ରହିଥିଲେ ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି। ଦୁଷ୍କର୍ମକାରୀଙ୍କ ସହ ପୂର୍ବରୁ କିଛି ସମ୍ପର୍କ ଥିଲା କି ନାହିଁ, ଏଭଳି ଅନେକ ପ୍ରଶ୍ନକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।