ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବନ୍ଧାହେବେ ଗୋଟିଗୋଟି କରି ସବୁ ହାର୍ଡକୋର୍ କ୍ରିମିନାଲ୍! ଚଳିତବର୍ଷ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ଅଙ୍କକଷା ଆରମ୍ଭ କରିବା ସହ ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କେବଳ ରାଜନୈତିକ ଦଳ ନୁହେଁ, ପୋଲିସ ଡିପାର୍ଟମେଣ୍ଟ ମଧ୍ୟ ନିର୍ବାଚନ ପୂର୍ବରୁ ସଜାଗ ହୋଇସାରିଛି । ରାଜଦାନୀର ଶାନ୍ତି ଅତୁଟ ରଖିବା ପାଇଁ ମାଷ୍ଟରପ୍ଲାନ କରିସାରିଛି ଓଡ଼ିଶା ପୋଲିସ। ତେଣୁ ନିର୍ବାଚନ ପୂର୍ବରୁ ରାଜଧାନୀର ହାର୍ଡକୋର ଅପରାଧୀଙ୍କ ଲିଷ୍ଟ କରି ସେମାନଙ୍କ ବିରୋଧରେ ଆରମ୍ଭ ହୋଇଯାଇଛି ଅପରେସନ୍। ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଗିରଫ କରି ହାଜତ ଭିତରେ ଭର୍ତ୍ତି କରିବା ସହ ନିର୍ବାଚନ ସୁରୁଖୁରୁରେ ଶେଷ କରିବା ପାଇଁ ପୋଲିସ ବିଭାଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି। ରାଜଧାନୀ ଭୁବନେଶ୍ୱରରେ ଥିବା ହାର୍ଡକୋର କ୍ରିମିନାଲମାନଙ୍କର ଏକ ତାଲିକା ଡିସିପି ପ୍ରତୀକ ସିଂହଙ୍କୁ ହ୍ତାନ୍ତର କରାଯାଇଛି। ୧୫ ଦିନ ପୂର୍ବରୁ ଡିସିପି ଏହି ତାଲିକା ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀଙ୍କୁ ମାଗିଥିଲେ। ବର୍ତ୍ତମାନ ତାଲିକା ପାଇବା ପରେ ପୋଲିସ ସେମାନଙ୍କୁ ଝାରପଡ଼ା ଜେଲ ପଠାଇବା ପାଇଁ ବନ୍ଦୋବସ୍ତ ଆରମ୍ଭ କରିବାକୁ ଯାଉଛି।
୧୩ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଅପରାଧୀ ମାନଙ୍କୁ ହାର୍ଡକୋର ତାଲିକାରେ ସାମିଲ କରିଛନ୍ତି ଡିସିପି ପ୍ରତୀକ ସିଂହ। ତେବେ ଏହି ତାଲିକାରେ ୨୨୦ରୁ ଅଧିକ ଅପରାଧୀ ରାଜଧାନୀରେ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦ ଜଣ ଜେଲରେ ରହିଛନ୍ତି ଏବଂ ଏବେ ୧୪୦ ଜଣ ଖୋଲାରେ ବୁଲୁଛନ୍ତି। ଏହି ହାର୍ଡକୋର ଅପରାଧୀଙ୍କୁ ଜେଲର ଚାରି କାନ୍ଥରେ ବନ୍ଦୀ କରି ରଖିବା ପାଇଁ ସେମାନଙ୍କ ବିରୋଧରେ ସିଆରପିସି ଧାରା ୧୧୦ ଏବଂ ୧୦୭ ଲାଗୁ କରିବ ପୋଲିସ। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ୬-୮ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଜାରି ହୋଇଥାଏ। ଏହା ଭିତରେ ସାଧାରଣ ନିର୍ବାଚନ ମଧ୍ୟ ଶାନ୍ତିରେ ଶେଷ ହୋଇପାରିବ। ଫଳରେ ନିର୍ବାଚନରେ ବୋମାମାଡ଼, ଗୁଳିମାଡ଼ ଇତ୍ୟାଦି ଭଳି କୌଣସି ଅପରାଧିକ କାର୍ଯ୍ୟକଳାପ ମୁକ୍ତ ହୋଇପାରିବ। ତେବେ ଡିସିପି ପ୍ରତୀକ ସିଂହ ଏହି ତାଲିକା ପାଇବା ପରେ ହାର୍ଡକୋର କ୍ରିମିନାଲଙ୍କ ବିରୋଧରେ ଅପରେସନ୍ ଆରମ୍ଭ କରିଛନ୍ତି।