ଭୁବନେଶ୍ୱର: ହିନ୍ଦୁ ଏବଂ ମୁସଲିମଙ୍କ ମଧ୍ୟରେ କାହିଁକି ଘଟୁଛି ବାରମ୍ବାର ସାମ୍ପ୍ରଦାୟିକ ଉତ୍ତେଜନା? ବିଶେଷତଃ ହିନ୍ଦୁ ଏବଂ ମୁସଲମାନ ସଂପ୍ରଦାୟ ମଧ୍ୟରେ ବିଭିନ୍ନ ସ୍ଥାନରେ ବାରମ୍ବାର ଘଟୁଛି ସାମ୍ପ୍ରଦାୟିକ ଉତ୍ତେଜନା। ନିକଟରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରୀ ଏବଂ ଟାଙ୍ଗି ଥାନା ଅନ୍ତର୍ଗତ ରାଉତପଡ଼ା ଗ୍ରାମରେ ହିନ୍ଦୁ – ମୁସଲମାନ ସଂପ୍ରଦାୟ ମଧ୍ୟରେ ଘଟିଲା ସାମ୍ପ୍ରଦାୟିକ ଉତ୍ତେଜନା। ଜାନୁଆରୀ ୨୨ ତାରିଖ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଦିନ ଘଟିଲା ଏପରି ସାମ୍ପ୍ରଦାୟିକ ଉତ୍ତେଜନା। ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ସାରା ଭାରତ ରାମମୟ ହୋଇଯାଇଥିଲା। ଗାଁ, ଗାଁ’ ରେ ଶୋଭାଯାତ୍ରା, ଉତ୍ସବ ଆଦି ପାଳନ କରାଯାଉଥିଲା। ତେବେ ଛଣଗିରୀ ଗ୍ରାମରେ ରାମଭକ୍ତ ମାନଙ୍କ ତରଫରୁ ହୋଇଥିବା କାର୍ଯ୍ୟକ୍ରମ ଉପରେ କିଛି ମୁସଲିମ୍ ଯୁବକ ବିବାଦୀୟ ମନ୍ତବ୍ୟ ଦେଇ ସୋସିଆଲ ମିଡିଆରେ ପୋଷ୍ଟ୍ କରିବାରୁ ଘଟିଲା ସାମ୍ପ୍ରଦାୟିକ ଉତ୍ତେଜନା। ସେହିପରି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ନିମନ୍ତେ ଟାଙ୍ଗି ଥାନା ଅନ୍ତର୍ଗତ ରାଉତପଡ଼ା ଗ୍ରାମରେ ଶ୍ରୀରାମଙ୍କ ଶୋଭାଯାତ୍ରା ଯାଉଥିବା ସମୟରେ ମସଜିଦ୍ ଦେଇ ଶୋଭାଯାତ୍ରା ଯିବା, ନ୍ୟାରା ଦେବା ଆଦିକୁ ବିରୋଧ କରି ରାସ୍ତାରେ ପଥର ପକାଇ ମୁସଲିମ ମାନେ ରାସ୍ତା ଅବରୋଧ କରିବାରୁ ଘଟିଥିଲା ସାମ୍ପ୍ରଦାୟିକ ଉତ୍ତେଜନା।
ତେବେ ପ୍ରଶ୍ନ ଉଠୁଛି, କାହିଁକି ଘଟୁଛି ବାରମ୍ବାର ସାମ୍ପ୍ରଦାୟିକ ଉତ୍ତେଜନା? ବିଶେଷତଃ ହିନ୍ଦୁ ଏବଂ ମୁସଲମାନ ସଂପ୍ରଦାୟ ମଧ୍ୟରେ ବିଭିନ୍ନ ସ୍ଥାନରେ ବାରମ୍ବାର ଘଟୁଛି ସାମ୍ପ୍ରଦାୟିକ ଉତ୍ତେଜନା। ଆଉ ଏପରି କିଛି ଅଘଟଣ ଘଟିବା ପରେ ପୋଲିସ, ପ୍ରଶାସନ ଏବଂ ସ୍ଥାନୀୟ ନେତୃତ୍ୱ ଡକାଉଛନ୍ତି ଶାନ୍ତି ବୈଠକ। ଶାନ୍ତି ଦୂତ ମାନେ କରାଉଛନ୍ତି ଶାନ୍ତି କମିଟି। କାହିଁକି ଘଟୁଛି ବାରମ୍ବାର ସାମ୍ପ୍ରଦାୟିକ ଉତ୍ତେଜନା, ତାର ମୂଳ କାରଣ, ମୂଳ ସମସ୍ୟାକୁ ଖୋଜି ବାହାର କରି ତା’ର ସମାଧାନ କରିବା ପରିବର୍ତ୍ତେ, ଶାନ୍ତି କମିଟି ନାମରେ କେବଳ ଘଟଣାକୁ ଏଡ଼ାଇ ଦିଆଯାଉଛି ଅଥବା ଶାନ୍ତି କମିଟିର ତାଳିପକା ନିଷ୍ପତ୍ତିକୁ ଏମାନଙ୍କ ଉପରେ ଲଦି ଦିଆଯାଉଛି। ଯାହା ଫଳରେ ମୂଳ ସମସ୍ୟାର ସମାଧାନ ହୋଇନପାରି ଭିତରେ ଭିତରେ ବିବାଦ କୁହୁଳି ରହୁଛି ଏବଂ କିଛିଦିନ ବ୍ୟବଧାନରେ ପୁଣି ବିସ୍ଫୋରଣ ଘଟୁଛି। ଏହା ଉପରେ ଧ୍ୟାନ ଦେଇ ଏପରି ବିବାଦର ଚିରଦିନ ପାଇଁ ସମାଧାନ କରିବାକୁ ହେଲେ ମୂଳ ସମସ୍ୟାକୁ ଖୋଜି ବାହାର କରି ତା’ର ପ୍ରତିକାର କରିବାର ଆବଶ୍ୟକତା ରହିଛି।