Thursday, June 19, 2025

ଏଣିକି ଆଇସିୟୁ ଆଡମିଶନ୍‌‌ ଉପରେ ଲାଗିବ ଅଙ୍କୁଶ: ସବୁ ଡାକ୍ତରଖାନାରେ ହେବ କଡ଼ାକଡ଼ି ପାଳନ

ନୂଆଦିଲ୍ଲୀ: ଏଣିକି ଆଇସିୟୁରେ ଆଡମିଶନ୍‌‌ ଉପରେ ଅଙ୍କୁଶ ଲାଗିବ। କେବଳ ଅତି ଗୁରୁତର ରୋଗୀଙ୍କୁ ଆଇସିୟୁରେ ଆଡମିଶନ୍‌‌ କରାଯାଇ ପାରିବ। ସେହିପରି ଆଇସିୟୁରେ ଚିକିତ୍ସାଧୀନ ରୋଗୀଙ୍କୁ ଡିସ୍‌ଚାର୍ଜ କରିବା ସମୟରେ ମଧ୍ୟ ଧାର୍ଯ୍ୟ ନିୟମର ପାଳନ କରିବା ଜରୁରୀ ହେବ। ଏ’ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। କ୍ରିଟିକାଲ ମେଡିସିନ୍‌‌ର ୨୪ଜଣ ଅଭିଜ୍ଞ ଡାକ୍ତରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମାର୍ଗଦର୍ଶିକା ଓଡ଼ିଶାରେ କଡ଼ାକଡ଼ି ଲାଗୁ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ବିଭିନ୍ନ ଦେଶରେ ଆଇସିୟୁ ଚିକିତ୍ସା ପାଇଁ ମାର୍ଗଦର୍ଶିକା ରହିଥିବା ବେଳେ ପ୍ରଥମଥର ପାଇଁ ଭାରତରେ ଏପରି ନିୟମ ଲାଗୁ କରାଯିବ। ମାର୍ଗଦର୍ଶିକା ଅନୁସାରେ, ଆଇସିୟୁରେ ଆଡମିଶନ୍‌‌ କରିବା ପୂର୍ବରୁ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କିତ ବିବରଣୀ ଲିପିବଦ୍ଧ ହେବ। କେଉଁ ପରିସ୍ଥିତିରେ ଆଇସିୟୁରେ ଆଡମିଶନ୍‌‌ କରାଗଲା, ତାହାର କାରଣ ସମ୍ପୃକ୍ତ ଡାକ୍ତର ଲେଖିବେ। ଆଇସିୟୁ ଶଯ୍ୟା ସଂଖ୍ୟା ସୀମିତ ଥିବାରୁ କେବଳ ପ୍ରକୃତରେ ଆବଶ୍ୟକ କରୁଥିବା ରୋଗୀଙ୍କୁ ତାହା ପ୍ରଦାନ କରାଯାଇପାରିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମାର୍ଗଦର୍ଶିକା ସମ୍ପର୍କରେ ବିଶେଷଜ୍ଞ କହିଛନ୍ତି ଯେ ଆଇସିୟୁ ଚିକିତ୍ସା ଉପରେ ନିଷ୍ପତ୍ତି ଏକ ବିସ୍ତୃତ କ୍ଷେତ୍ର। ସେଥିରେ ଚିକିତ୍ସାକାରୀ ଡାକ୍ତରଙ୍କ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ମାର୍ଗଦର୍ଶିକା ଆଇସିୟୁ ଶଯ୍ୟା ଅଭାବ ଦୂର କରିବାରେ ସହାୟକ ହେବ ବୋଲି କୁହାଯାଇଛି। ଅପରପକ୍ଷେ, ମନଇଚ୍ଛା ଆଇସିୟୁରେ ଆଡମିଶନ୍‌‌ କରି ଅନେକ ଘରୋଇ ଡାକ୍ତରଖାନା ଅର୍ଥ ଶୋଷଣ କରୁଥିବା ଅଭିଯୋଗ ମଧ୍ୟ ରହିଛି। ଏପରିସ୍ଥଳେ ଏହି ମାର୍ଗଦର୍ଶିକା ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସହାୟକ ହେବ ବୋଲି କୁହାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles