ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସମେତ ୭ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୮ଟି ବିଭିନ୍ନ ଦିଗ ଉପରେ ଗୁରୁତ୍ବ ଦିଆଯିବ। ଯେପରିକି ଗୋପାଳନ, ସୁରକ୍ଷା, ଦୁଗ୍ଧ ଉପାଦାନକୁ ଜାତୀୟ ସ୍ତରରେ ପହଞ୍ଚାଇବା, ମଇଁଷି ପାଳନ, ଗୋ ସମ୍ପଦ ବୀମା (୮୫% ସରକାର ଦେବେ, ୧୫%ଚାଷୀ ଦେବେ ), ବାଛୁରୀ ମାନଙ୍କୁ ଖାଦ୍ୟ ଯୋଗାଣ, ଦୁଗ୍ଧ ଉତ୍ପାଦନକୁ ସହାୟତା, ଓମଫେଡକୁ ସଶକ୍ତ ପାଇଁ ସହାୟତା, ଫଡର ଚାଷ ପାଇଁ ଇନସେଟିଭ ପାଇଁ ପ୍ରସ୍ତାବ ରହିଛି। ଆଗାମୀ ୫ ବର୍ଷରେ ଏଥି ପାଇଁ ୧୪୨୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି। ସେହିପରି ଓଡ଼ିଶା ଉଚ୍ଚ ନିୟାଳୟର କର୍ମଚାରୀଙ୍କ ପାଇଁ ୫୫୦ଟି ଷ୍ଟାଫ କ୍ବାଟର ନିର୍ମାଣ ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହି ଷ୍ଟାଫ କ୍ବାଟର ୩୦ ମାସ ମଧ୍ୟରେ ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଘରୋଇ ଡିଲରଙ୍କୁ ସୁବିଧା ମିଳିଛି। ସେମାନଙ୍କ ଲାଇସେନ୍ସ ଅବଧି ଆଉ ଦେଢ଼ ବର୍ଷ ବଢ଼ାଯାଇଛି। ୨୦୨୬ରେ ସେମାନଙ୍କ ପ୍ରଦର୍ଶନ ଭିତ୍ତିରେ ଲାଇସେନ୍ସ ଅବଧି ବଢିବ କି ନାହିଁ ତାହାର ନିଷ୍ପତ୍ତି ନିଆଯିବ। ସେହିପରି କ୍ୟାବିନେଟ୍ ବୈଠକରେ ପରିସଂଖ୍ୟାନ ବିଭାଗର ତଥ୍ୟ ବିତରଣ ନିୟମରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ସେହିପରି ସିନିୟର ଜଜ୍ ନିଯୁକ୍ତି ନିୟମରେ ସଂଶୋଧନ କରାଯାଇଛି।