ନୂଆଦିଲ୍ଲୀ: ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁ ସଫା ହୋଇଛି। ୨୦୧୫ରେ ଜମ୍ମୁ ଓ କଶ୍ମୀରର ଉଧମପୁରରେ ସୀମା ସୁରକ୍ଷା ବଳ ଗାଡ଼ି ଉପରେ ଆକ୍ରମଣ ଲାଗି ଷଡ଼ଯନ୍ତ୍ର କରିଥିବା ଲସ୍କର୍- ଏ- ତୋଏବାର ଆତଙ୍କବାଦୀ ହଞ୍ଜ୍ଲା ଆଦ୍ନାନ୍ଙ୍କୁ ପାକିସ୍ତାନର କରାଚୀରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ମାରି ହତ୍ୟା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ହଞ୍ଜାଲା ୨୦୧୫ରେ ଜମ୍ମୁର ଉଧମପୁରରେ ବିଏସ୍ଏଫ୍ କନଭୟ ଉପରେ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲା। ଏଥିରେ ୨ ବିଏସ୍ଏଫ୍ ଯବାନ ସହିଦ୍ ହୋଇଥିବାବେଳେ ୧୩ ସୈନିକ ଆହତ ହୋଇଥିଲେ। ଜାମ୍ମୁ କାଶ୍ମୀରର ଶ୍ରୀନଗର ଏବଂ ପୁଲୱାମା ଅଞ୍ଚଳରେ ଆତ୍ମଘାତୀ ଆକ୍ରମଣ କରିବାରେ ହଞ୍ଜାଲାର ପ୍ରମୁଖ ଭୂମିକା ରହିଥିଲା। ହଞ୍ଜାଲାର ମୃତ୍ୟୁ ଲସ୍କର ମୁଖ୍ୟ ହାଫିଜ ସଇଦ୍ ପାଇଁ ଏକ ବଡ଼ କ୍ଷତି ବୋଲି ବିବେଚନା କରାଯାଉଛି। ହଞ୍ଜାଲା ହାଫିଜ ସଇଦର ଅତି ଘନିଷ୍ଠ ଥିଲା। ସୂଚନାଯୋଗ୍ୟ ଯେ, ଗତ କିଛି ମାସ ମଧ୍ୟରେ ପାକିସ୍ତାନରେ ରହୁଥିବା ଭାରତର କିଛି ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ହଞ୍ଜାଲା ପୂର୍ବରୁ ମୁଫତି କାଇସର ଫାରୁକ୍, ଖଲିସ୍ତାନୀ ଆତଙ୍କବାଦୀ ପରମଜିତ୍ ସିଂ ପଞ୍ଜୱାଡ, ଏଜାଜ ଅହମ୍ମଦ ଅହଙ୍ଗର, ବଶିର ଅହମ୍ମଦ ପରି ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ଅଜଣା ଆକ୍ରମଣକାରୀ। ଏହାଛଡ଼ା ନିକଟରେ ସିଆଲକୋଟରେ କୁଖ୍ୟାତ ଆତଙ୍କବାଦୀ ସାହିଦ ଲତିଫକୁ ବି ହତ୍ୟା କରାଯାଇଥିଲା। ୨୦୧୬ରେ ପଠାନକୋଟ ବାୟୁସେନା ଘାଟି ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଲତିଫ୍।