ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ବ୍ରାଣ୍ଡ ଭାଲ୍ୟୁ ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଏବେ ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ ୧୨ ବିଲିୟନ ଡଲାର ଅର୍ଥାତ ଭାରତୀୟ ମୂଲ୍ୟରେ ୧.୦୧ ଲକ୍ଷ କୋଟିରେ ପହଞ୍ଚିଛି। ୨୦୨୩ରେ ଏହା ୧୦.୭ ବିଲିୟନ ଡଲାର ରହିଥିଲା। ଚେନ୍ନାଇ ସୁପର କିଙ୍ଗସ, ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରଙ୍କ ବ୍ରାଣ୍ଡ ଭାଲ୍ୟୁ ୧୦୦ ମିଲିୟନ ଡଲାରରୁ ଊର୍ଦ୍ଧ୍ୱ ହୋଇସାରିଛି। ସୂଚନାଯୋଗ୍ୟ ଯେ ୨୦୦୮ରେ ଆଇପିଏଲର ଆରମ୍ଭ ହୋଇଥିଲା। ବର୍ଷକ ଭିତରେ ୨୦୦୯ ବେଳକୁ ଏହାର ବ୍ରାଣ୍ଡ ଭାଲ୍ୟୁ ୨ ବିଲିୟନ ଡଲାରରେ ପହଞ୍ଚିଥିଲା। ୨୦୨୩ରେ ପ୍ରଥମ ଥର ପାଇଁ ଏହା ୧୦ ବିଲିୟନ ଡଲାର ମାର୍କ ଛୁଇଁଥିଲା। ଉପରୋକ୍ତ ୪ଟି ଦଳ ବ୍ୟତୀତ ରାଜସ୍ଥାନ ରୟାଲ୍ସର ବ୍ରାଣ୍ଡ ଭାଲ୍ୟୁ ୩୦ ପ୍ରତିଶତ ବୃଦ୍ଧି ପାଇ ୮୧ ମିଲିୟନ ଡଲାରରେ ପହଞ୍ଚିଛି। ସେହିପରି ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ଭାଲ୍ୟୁ ୬୯ ଓ ୬୦ ମିଲିୟନ ଡଲାରରେ ପହଞ୍ଚିଛି। ଗତ ସଂସ୍କରଣ ପରଠାରୁ ପଞ୍ଜାବ କିଙ୍ଗସର ଭାଲ୍ୟୁ ୪୯ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏବେ ଏହା ୬୮ ମିଲିୟନ ଡଲାର ପାରକରିଛି।