ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ଜନିତ ସମସ୍ୟାରୁ ମୁକୁଳିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି। ସୂଚନାଯୋଗ୍ୟ ଯେ ଆଘାତ ସମସ୍ୟା ଯୋଗୁ ହାର୍ଦ୍ଦିକ ବିଶ୍ୱକପର ଅଧିକାଂଶ ମ୍ୟାଚ ଖେଳିପାରି ନଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଦଳକୁ ଫେରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ତାଙ୍କୁ ସାମିଲ କରାଯାଇ ନାହିଁ। ହାର୍ଦ୍ଦିକଙ୍କୁ ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ଆହୁରି ୧୮ ସପ୍ତାହ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି। ଯେତେଦୂର ସମ୍ଭବ ସେ ମାର୍ଚ୍ଚରେ ଦଳକୁ ଫେରିବେ। ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜରେ ମଧ୍ୟ ସେ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ଆସନ୍ତା ବର୍ଷ ଜୁନରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ବିସିସିଆଇ ହାର୍ଦ୍ଦିକଙ୍କୁ ନେଇ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନି। ରୋହିତ ଶର୍ମା ୨୦୨୨ ଟି୨୦ ବିଶ୍ୱକପ୍ ପରଠାରୁ କୌଣସି ଟି୨୦ ମ୍ୟାଚ ଖେଳି ନାହାନ୍ତି। ତାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ଦଳର ନେତୃତ୍ୱ ନେଇଛନ୍ତି। ଆବଶ୍ୟକ ପଡ଼ିଲେ ହାର୍ଦ୍ଦିକଙ୍କୁ ଟି୨୦ ବିଶ୍ୱକପରେ ଭାରତର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇପାରେ। ହାର୍ଦ୍ଦିକଙ୍କ ପୂର୍ବରୁ ଯଶପ୍ରୀତ ବୁମରାହ, ଲୋକେଶ ରାହୁଲ ଓ ଶ୍ରେୟାଶ ଆୟାରଙ୍କୁ ନେଇ ବିସିସିଆଇ ଉପରୋକ୍ତ ଯୋଜନା ପ୍ରସ୍ତୁତ କରିଥିଲା। ସେମାନେ ସମ୍ପୂର୍ଣ୍ଣ ଫିଟ୍ ହେବା ପରେ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିଲେ।ହାର୍ଦ୍ଦିକଙ୍କୁ ନେଇ ବିସିସିଆଇ ଏଭଳି ଆଶା ପୋଷଣ କରିଛି।