ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷ ପରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ। ଜେଏନୟୁ ଅଧିକାରୀଙ୍କ ତରଫରୁ ଏ’ ନେଇ ବିଜ୍ଞପ୍ତି ଜାରୀ ହୋଇଛି। ବିଭିନ୍ନ ଛାତ୍ର ସଙ୍ଗଠନ ନିର୍ବାଚନ କରାଇବା ନେଇ ବାରମ୍ବାର ବିରୋଧ ପ୍ରଦର୍ଶନ କରିବା ପରେ ପ୍ରଶାସନ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଶେଷ ଥର ପାଇଁ ୨୦୧୯ ମସିହାରେ ଜେଏନୟୁରେ ଛାତ୍ରସଂଘ ନିର୍ବାଚନ ହୋଇଥିଲା। ଏବେ ଛାତ୍ର ମାନଙ୍କର ଚେତାବନୀ ପରେ ପ୍ରଶାସନ ତରଫରୁ ନିର୍ବାଚନ କରିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି କି, ପିଏଚଡି ଛାତ୍ରଙ୍କ ସେଶନ ଆରମ୍ଭ ହେବାର ୬ ରୁ ୮ ସପ୍ତାହ ପରେ ନିର୍ବାଚନ କରାଯିବ। ଏହାସହ ନିର୍ବାଚନ ନେଇ ବିସ୍ତୃତ ଗାଇଡଲାଇନ ଡିନଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯିବ।