Wednesday, December 25, 2024

କାଞ୍ଜିଅଁଳା ନବମୀ – ପିତାଶୁଖୁଆ ବୋହୂ କଥା ..

କାଞ୍ଜିଅଁଳା ଏକ ଓଡ଼ିଆ ପରମ୍ପରା, ଓଷା ବା ପର୍ବ। କାଞ୍ଜିଅଁଳା ଓଷା ମାର୍ଗଶିର ମାସ କୃଷ୍ଣ ନବମୀ ଦିନ ପାଳନ କରାଯାଏ। ଏହି ଓଷାର ବିଶେଷତ୍ୱ ହେଉଛି ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା। ନିଃସନ୍ତାନ ନାରୀମାନେ ସନ୍ତାନପ୍ରାପ୍ତି ପାଇଁ ମା’ ଷଠୀଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାଆନ୍ତି। ଷଠୀଦେବୀ ହେଉଛନ୍ତି ଭଗବାନଙ୍କ ଏକ ଅନନ୍ୟ ସ୍ୱରୂପ ଯିଏକି ସନ୍ତାନସନ୍ତତିଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି। ତେବେ, ଏହି ଓଷା ସମ୍ପର୍କରେ ଏକ ସୁନ୍ଦର କାହାଣୀ ରହିଛି। ଗୋଟିଏ ଦେଶରେ ଜଣେ ସାଧବ ଥିଲେ। ତାଙ୍କର ୪ ପୁଅ ଓ ୪ ବୋହୂ ଥିଲେ। ୪ ପୁଅ ବେପାରବଣିଜ କରନ୍ତି। ଘରେ ସାନବୋହୂ ପ୍ରଥମେ ଗର୍ଭବତୀ ହେଲେ। ଏହା ଘରେ ସମସ୍ତଙ୍କ ମନ ଖୁସିରେ ନାଚି ଉଠିଲା। ୪ ମାସ ହେବା ପରେ ସାନ ବୋହୂର କଖାରୁ ଖାଇବାକୁ ଇଚ୍ଛା ହେଲା। କିନ୍ତୁ ସାଧବ ଘର ବାଡ଼ିରେ କଖାରୁ ନଥିଲା। ସାଧବବୋହୂ ଲାଜରେ କାହାକୁ ନକହି ପଡ଼ିଶାଘର ବାଡିରୁ କଖାରୁଟିଏ ଚୋରି କରି ଆଣି ଆମ୍ବିଳ କରି ଖାଇଲା। ତା’ ପର ଦିନ ପଡ଼ିଶାଘର ଲୋକ ବଗିଚାରେ କଖାରୁ ନଥିବାର ଦେଖି ଅଭିଶାପ ଦେଲା ଯେ, ଯିଏ ମୋ ବାଡ଼ିରୁ କଖାରୁ ଚୋରିକରି ନେଇଛି ତା’ର ଛୁଆ ଜନ୍ମ ହେବା ମାତ୍ରେ ଷଠୀଦେବୀ ଚୋରି କରି ନେଇଯାଉ। ଷଠୀଦେବୀ ଏକଥା ଜାଣି ପାରିଲେ। କିଛିଦିନ ପରେ ସାନବୋହୂ ପୁଅଟିଏ ଜନ୍ମ ଦେଲା। ଗର୍ଭକଷ୍ଟ ସହି ନପାରି ସେ ଅଚେତ ହୋଇ ଶୋଇଥିବା ବେଳେ ଷଠୀ ଠାକୁରାଣୀ ତା’ର ପିଲାକୁ ଚୋରେଇ ନେଇଗଲେ। ବୋହୂଟି ନିଦରୁ ଉଠି ପାଖରେ ପିଲାକୁ ନ ପାଇ କାନ୍ଦିବାକୁ ଲାଗିଲା। ସମସ୍ତେ ଚାରିଆଡେ ଖୋଜିଲେ କିନ୍ତୁ ପିଲାକୁ କେଉଁଠି ପାଇଲେ ନାହିଁ। ଏହିପରି ସାଧବାଣୀର ୫ ପୁଅଙ୍କୁ ଷଠୀଦେବୀ ଚୋରିକରି ନେଇଗଲେ। ଶେଷରେ ପୁଣି ଥରେ ସାଧବାଣୀ ଗର୍ଭବତୀ ହେଲା ଏବଂ ପ୍ରସବ ସମୟ ପାଖେଇ ଆସିବାରୁ ତା’କୁ ଭୀଷଣ ଯନ୍ତ୍ରଣା ହେଲା। ଏହା ଦେଖି ଶାଶୁ ରାଗିଯାଇ କହିଲେ – ତୁ ପାଞ୍ଚଟି ପିଲା ଖାଇସାରିଲୁଣି। ଆଉ ତୋର ଏହି ଘରେ ସ୍ଥାନ ନାହିଁ। ତୁ ଏହିକ୍ଷଣି ଏହିଘରୁ ବାହାରି ଯା। ଗୋଟିଏ ସୂତାକଣ୍ଡା ଦେଇ କହିଲେ, ଯେଉଁଠି ଏହିସୂତା ସରିବ ସେହିଠାରେ ପିଲା ଜନ୍ମ କରିବୁ। କିଛି ଉପାୟ ନପାଇ ସାନବୋହୂ ଶାଶୁଙ୍କ କଥା ମାନି ସୂତାକୁ ଧରି ଚାଲିଗଲା। ଶେଷରେ ସୂତାକଣ୍ଡାର ଅଗ୍ରଭାଗ ଯାଇ ଏକ ଘଞ୍ଚ ଜଙ୍ଗଲ ଭିତରେ ସରିଲା। ପୂରା ଅନ୍ଧାର କେହି କୁଆଡେ ନାହାଁନ୍ତି। ସାଧବାଣୀ ଏକୁଟିଆ ହୋଇ କାନ୍ଦିବାକୁ ଲାଗିଲା। ପୁଣି ଗର୍ଭକଷ୍ଟ ବଢିବାକୁ ଲାଗିଲା। ଠିକ ସେହି ସମୟରେ ସାଧବାଣୀ ଆଉଗୋଟିଏ ଛୁଆ ଜନ୍ମ କଲା। କିନ୍ତୁ ସିଏ ମଣିଷ ଛୁଆ ନୁହେଁ ଗୋଟିଏ କାଠ କଣ୍ଢେଇ ଥିଲା। ଏହା ଦେଖି ସାଧବାଣୀ ଖୁବ୍ ବିକଳ ହୋଇ ମା’ ଷଠୀଦେବୀଙ୍କୁ ସ୍ମରଣ କରି ଡାକିବାକୁ ଲାଗିଲା। ଷଠୀଦେବୀ ତା’ର କ୍ରନ୍ଦନ ଆଉ ସହ୍ୟ କରିପାରିଲେ ନାହିଁ। ଶେଷରେ ଷଠୀଦେବୀ ତା’ର ପାଞ୍ଚପୁଅଙ୍କ ସହିତ ସାଧବାଣୀ ପାଖକୁ ଆସିଲେ ଏବଂ କହିଲେ – ତୁ ଡାହାଣୀ ନାଁ, ପିଶାଚୁଣୀ ଏ ଗହନ ବନ ଭିତରେ କେଉଁଠୁ ଆସିଲୁ ଓ କାହିଁକି କାନ୍ଦୁଛୁ? ଏକଥା ଶୁଣି ସାଧବାଣୀ ଠାକୁରାଣୀଙ୍କୁ ଦେଖି ଚିହ୍ନି ପାରି ପଛ କଥା ସବୁ ଗୋଟି ଗୋଟି କରି କହିଲା। ତା’ ପରେ ଠାକୁରାଣୀ ତା’ର ୫ ପୁଅଙ୍କୁ ଫେରାଇ ଦେଇ କହିଲେ – ମୁଁ ତୋ ୫ ପୁତ୍ରକୁ ଚୋରେଇ ନେଇଥିଲି ତୁ ନେ। ଜୀବନରେ ଆଉ କେବେ କାହରି ଜିନିଷ ଚୋରି କରିବୁ ନାହିଁ ଏବଂ ମାର୍ଗଶିର ମାସ ଅଷ୍ଟମୀ ପରଦିନ କାଞ୍ଜିଅଅଁଳା ଉପବାସ କରିବୁ। ତୋର ପୁତ୍ରମାନଙ୍କର ମଙ୍ଗଳ ହେବ। ଏହା ଶୁଣି ସାଧବାଣୀ କହିଲା – ମା’ ମୁଁ ହେଉଛି ମୂର୍ଖ। ପୂଜାବିଧି ବିଷୟରେ ମୁଁ କିଛି ଜାଣିନାହିଁ। ମୋତେ ଏହି ଓଷା ବିଷୟର ବିଧିବିଧାନ ଦୟାକରି କହିଦିଅନ୍ତୁ। ତା’ ପରେ ଠାକୁରାଣୀ ସବୁ କହିଲେ।

ମାର୍ଗଶୀର ମାସ କୃଷ୍ଣ ପକ୍ଷ କାଞ୍ଜିଅଁଳା ନବମୀ ଦିନ ସକାଳୁ ନାରୀମାନେ ସ୍ନାନ ସାରି ଦିନ ସାରା ଉପବାସ କରିଥାଆନ୍ତି। ସନ୍ଧ୍ୟା ବେଳେ ନିଜ ଅଗଣାରେ ତୁଳସୀ ଚଉରା ମୂଳରେ ପୋଖରୀ ପରି ଗୋଟିଏ ଛୋଟ ଚାରିକୋଣିଆ ଗାତ ଖୋଳି ତହିଁରେ ପାଣି ଭରିଥାଆନ୍ତି। ପୋଖରୀରୁ ଗଡ଼ିଶା ମାଛ ଆଣି ଏଥିରେ ଛାଡ଼ିଥାଆନ୍ତି। ଏହି ଗାତ ଚାରିପଟେ ବାଳୁଙ୍ଗା ଧାନ ପୋତିଥାନ୍ତି। ପୋଖରୀ ମଝିରେ ସାରୁ ଗଛଟିଏ ପୋତି ତା’ରି ମୂଳରେ ପିଢ଼ାଟିଏ ଥୋଇଥାଆନ୍ତି। ସାତଟି ପିତା ଶୁଖୁଆ ଆଣି ସେଗୁଡ଼ିକୁ ହଳଦୀ ପାଣିରେ ଧୋଇ ହଳଦିଆ କନାରେ ଗୁଡ଼ାଇ ବୋହୁପରି ବେଶ କରି କଜ୍ଜ୍ୱଳ, ସିନ୍ଦୂର ଲଗାଇ ପିଢ଼ା ଉପରେ ବସାଇ ଦିଅନ୍ତି। ପ୍ରତିଟି ଶୁଖୁଆ ପାଖରେ ଗୋଟିଏ ଲେଖାଏଁ ପୋଇ ଖାଡ଼ି ରଖିଥାଆନ୍ତି। ଘରେ ଭାତ, ଡାଲି, କାଞ୍ଜି, ସାରୁ, ମୂଳା, ପିତା ଶୁଖୁଆ ପକାଇ ତରକାରୀ ଓ ଦୁଇଟି ଚକୁଳି ପିଠା କରିଥାଆନ୍ତି। “ଷଠୀ ଦୁଷାଇଁ” ଠାକୁରାଣୀଙ୍କୁ ମନାସି କରି ଏତକ ପୂଜା କରିଥାଆନ୍ତି। ଭୋଗ ସରିଲା ପରେ ସେଇ ସାମଗ୍ରୀକୁ ଯେଉଁ ପିଲାଙ୍କ ପାଇଁ ମାନସିକ କରିଥିବେ ସେମାନଙ୍କୁ ଖୁଆଇଦିଅନ୍ତି। ଅବଶିଷ୍ଠ ଭୋଗ ନଦୀରେ ଭସାଇ ଦିଅନ୍ତି କିମ୍ବା ପୋତି ଦିଅନ୍ତି। ଯେଉଁ ସାତଖଣ୍ଡି ପୋଇ, ଶୁଖୁଆ ବୋହୂଙ୍କ ପାଖରେ ରଖିଥାନ୍ତି ତାହାକୁ କାହାକୁ ଦେବା ମନା। ସେସବୁକୁ ନଦୀରେ ଭସାଇ ଦିଅନ୍ତି। ଲୋଭରେ ପଡ଼ି ପରଦ୍ରବ୍ୟ ଚୋରି କଲେ ଦଣ୍ଡ ମିଳିଥାଏ ବୋଲି ଏହା ହିଁ ଏହି ବ୍ରତରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି।

ଏହା ସହ ଏହି ପର୍ବ ପଛରେ କିଛି ବୈଜ୍ଞାନିକ କାରଣ ରହିଛି ଯାହା ସମାଜ ହିତରେ ପାଳିତ ହୋଇଥାଏ। ଓଡ଼ିଶାରେ ଲୋକ ଉକ୍ତି ରହିଛି “ମଗୁଶୀର ପୁଷ ମାସରେ ଚଷା ହାଣ୍ଡିରେ ପେଜ”। ଏହାର ଅର୍ଥ ଏହି ସମୟରେ ଚାଷୀ ଫସଲ ଅମଳ କରିଥାଏ। ଶୀତଦିନ ହେତୁ ଅଧିକ ପରିମାଣରେ ମିଳୁଥିବା ସବୁଜ ପନିପରିବାରେ ଅଧିକ ଖାଦ୍ୟସାର ରହିଥାଏ, ଯାହାର ତରକାରୀ ଦେହ ପାଇଁ ବଳକାରକ ହୋଇଥାଏ। ଛୋଟ ମାଛର ପିତ୍ତକୁ କାଢ଼ି ମାଛକୁ ଶୁଖାଇ ଶୁଖୁଆ କଲେ ତାହା ଅଧିକ ଦିନ ସାଇତା ହୋଇ ରହିଥାଏ। ସାଧାରଣ ଲୋକେ ଏଥିରୁ ଜୈବିକ ଖାଦ୍ୟସାର ଶସ୍ତାରେ ପାଇଥାଆନ୍ତି। ସେହିପରି ଉଭୟ କାଞ୍ଜି ଓ ଅଁଳା ଶୀତଦିନର ସ୍ୱାସ୍ଥ୍ୟପାଇଁ ଖୁବ୍ ଉପଯୋଗୀ। କାଞ୍ଜି ଲଘୁପାକ ଓ ଅରୁଚି ନିବାରକ। ଏହାସହ ଏଥିରେ ଖାଦ୍ୟସାର (ଖ), ଲୌହ ଓ କ୍ୟାଲ୍‌ସିୟମ୍ ଆଦି ରହିଥାଏ। ତେଣୁ ଶୀତଦିନରେ ଓଠକଡ଼ ଫାଟିବାରୁ ଏହା ରକ୍ଷାକରେ। ଶୀତଦିନିଆ ବାୟୁ ଓ କଫ ବିକାର ମଧ୍ୟ ଏହାଦ୍ୱାରା ନାଶ ହୁଏ। ଏହାଛଡ଼ା ପୋଇ, ପିତାଶୁଖୁଆ, ମୂଳା ଓ କଖାରୁ ଆଦିର ତରକାରୀ ମଧ୍ୟ ଶୀତଦିନରେ ଶରୀରପାଇଁ ଅତି ଉପଯୋଗୀ। ଏଣୁ କାଞ୍ଜିଅଁଳା ଓଷା କଥା ଆମକୁ କେବଳ ନୀତିଶିକ୍ଷା ଦିଏ ନାହିଁ, ଏଥିରୁ ଆମକୁ ସ୍ୱାସ୍ଥ୍ୟରକ୍ଷାର ମୂଲ୍ୟବାନ ବାର୍ତ୍ତା ମଧ୍ୟ ମିଳିଥାଏ। କାଞ୍ଜି ଭାତକୁ ରାନ୍ଧି ପଖାଳି ତାହାର ତୋରାଣିକୁ ଦୁଇଦିନ ଧରି ସାଇତି ସେଥିରେ ହଳଦୀ, ଲୁଣ, ମୂଳା, ସାରୁ ଓ ଅନ୍ୟାନ୍ୟ ମୂଳା ଜାତୀୟ ପରିବା ପକାଇ ସିଝାଇ ଭୃଷଙ୍ଗ ପତ୍ର ଦେଇ ଫୁଟାଇ ଉଷୁମ ଉଷୁମ ଖିଆଯାଇଥାଏ। ଏହା ହଜମକାରକ ଓ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ। ଶୀତ ଦିନେ ନିୟମିତ କାଞ୍ଜି ଖାଇଲେ ଆଣ୍ଠୁଗଣ୍ଠି ବାତ ହେବାର ସମ୍ଭାବନା କମିଯାଇଥାଏ। ହଳଦୀ ଚର୍ମ ରୋଗନାଶକ। ଶୁଖୁଆକୁ ହଳଦୀ ପାଣିରେ ଗାଧୋଇ ଦେବା ଭିତରେ ଇଙ୍ଗିତ ମାଧ୍ୟମରେ ଏହା ସମାଜକୁ ଜଣାଇଥାଏ। ଶୀତ ଦିନେ କୁଣ୍ଡିଆ ଆଦି ଚର୍ମରୋଗ ହେଉଥିବାରୁ ନିୟମିତ ହଳଦୀ ଲଗାଇବାଦ୍ୱାରା ଚର୍ମରୋଗ ଦୂର ହୋଇଥାଏ। ଏହା କୃମିନାଶକ ପାଇଁ ମଧ୍ୟ ଖିଆଯାଇଥାଏ। ଏହି ସବୁ ଖାଦ୍ୟ ସାଧାରଣ ଖାଦ୍ୟ ପ୍ରଣାଳୀରେ ଅଧିକ ଖାଇବା ମଧ୍ୟ ଏହି ପର୍ବ ମାଧ୍ୟମରେ ଶିଖାଯାଇଥାଏ।

କାଞ୍ଜିଅଁଳା ଓଷା କଥା ..

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles