।।“ନାଁ କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ
ନ’ ବେଦ ସଦୃଶଂ ଶାସ୍ତ୍ରଂ ନ’ ତୀର୍ଥଂ ଗଙ୍ଗାୟା ସମମ୍”।।
ଅର୍ଥାତ୍- କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ।
କାର୍ତ୍ତିକ ପୂର୍ଣ୍ଣିମା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ। ଉତ୍କଳର ପ୍ରାଚୀନ ଇତିହାସ ଓ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର ବୈଶିଷ୍ଟ୍ୟ ରହିଛି। ଏହିଦିନ ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ପାଳିତ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରେ ପୂରାଣରେ ଦର୍ଶାଯାଇଛି ଯେ କାର୍ତ୍ତିକ ମାସରେ ମୃତ୍ୟୁବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ। ପୁନଶ୍ଚ କାର୍ତ୍ତିକ ଏକ ଧର୍ମ ମାସ ରୂପେ ମଧ୍ୟ ପରିଚିତ। ଏହି ମାସରେ ଧର୍ମପ୍ରାଣ ଆବାଳ- ବୃଦ୍ଧ- ବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନ ଆଦି କରିଥାନ୍ତି। ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚକ ପର୍ବ ବା ମହାପଞ୍ଚକ ନାମରେ ପରିଚିତ। ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ପୂଜା କରିଥାନ୍ତି। କୁହାଯାଏ ଯେ ଏହି ପାଞ୍ଚଦିନ କାଳ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ। ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ଼ ଏକାଦଶୀ ଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। କାର୍ତ୍ତିକ ପୂର୍ଣ୍ଣିମା ଦିନ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ ରହିଛି। ଏହି ଦିନ ପ୍ରତ୍ୟୁଷରୁ ଆବାଳ- ବୃଦ୍ଧା- ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଖେଳଣା ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି। ଏହି ସମୟରେ ଗାନ କରନ୍ତି ‘ଆ- କା- ମା- ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର।’ ବିଶ୍ୱାସ ରହିଛି ଯେ ଏହିଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ।
।। “କାର୍ତ୍ତିକ ମାସି ବିପ୍ରେନ୍ଦ୍ର ଯସ୍ତୁଗୀତାଂ ପଠେନ୍ନରଃ,
ତସ୍ୟ ପୁଣ୍ୟଫଳଂ ବକ୍ତୁଂ ମମଶକ୍ତି ର୍ନ ବିଦୀତେ,
ଗୀତାୟାସ୍ତୁ ସମଂ ଶାସ୍ତ୍ରଂ ନ ଭୂତଂ ନ ଭବିଷ୍ୟତି,
ସର୍ବ ପାପହରା ନିତ୍ୟଂ ଗୀତୈକା ମୋକ୍ଷଦାୟିନୀ,
ଶ୍ରୀମଦ୍ ଭଗବତସ୍ୟାପି ଶ୍ରବଣଂ ଯଃ ସମାଚରେତ୍,
ସର୍ବପାପ ବିନିର୍ମୁକ୍ତଃ ପରଂ ନିର୍ବାଣ ମୃଚ୍ଛତି” ।।