ନୂଆଦିଲ୍ଲୀ: ଦିଲ୍ଲୀରେ ଲଭ୍ ଜିହାଦର ଶିକାର ଶ୍ରଦ୍ଧା ୱାକର ହତ୍ୟା ମାମଲାର ଅଭିଯୁକ୍ତ ଅଫତାବ ପୁନାୱାଲା ଏବେ ଅଣ୍ଡରବେୱାର୍ଲ୍ଡ ଡନ୍ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ। ସୂଚନାଯୋଗ୍ୟ, ମେ’ ୨୦୨୨ରେ ଦିଲ୍ଲୀର ଛତରପୁର ଅଞ୍ଚଳରେ ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ପରେ ଶ୍ରଦ୍ଧାଙ୍କ ଶରୀରକୁ ୩୦ରୁ ଅଧିକ ଖଣ୍ଡରେ କାଟି ଦିଆଯାଇଥିଲା। ଶ୍ରଦ୍ଧାଙ୍କ ପିତା ନିଖୋଜ ରିପୋର୍ଟ ଦାଖଲ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଶ୍ରଦ୍ଧାଙ୍କ ଶରୀରର ଖଣ୍ଡ ଗୁଡ଼ିକୁ ତିନି ସପ୍ତାହ ଫ୍ରିଜରେ ରଖାଯାଇଥିଲା ଏବଂ ଧୀରେ ଧୀରେ ସହରର ଅନେକ ଅଞ୍ଚଳରେ ପକାଯାଇଥିଲା। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଅଫତାବ ପୁନାୱାଲା। ଅଫତାବ ଏବେ ତିହାର ଜେଲର ୪ ନମ୍ବର ରୁମରେ ରହୁଛି। ଅଫତାବ ଲରେନ୍ସ ଗ୍ୟାଙ୍ଗର ଟାର୍ଗେଟକୁ ଆସିବା ପରେ ତିହାର ଜେଲ୍ ପ୍ରଶାସନ ସତର୍କ ହୋଇପଡିଛି। ଜେଲରେ ଥିବା ଅଫତାବ ପୁନାୱାଲାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଖବର ମୁତାବକ ବାବା ସିଦ୍ଦିକି ହତ୍ୟା ମାମଲାରେ ଧରାପଡିଥିବା ଅଭିଯୁକ୍ତ ଶିବ କୁମାର ଗୌତମ ପୋଲିସକୁ କହିଛି ଯେ, ସେ ଅଫତାବକୁ ହତ୍ୟା କରିବାକୁ ଚାହୁଁଛି। ସୂଚନା ମୁତାବକ ଅଫତାବ ପୁନାୱାଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟରଙ୍କ ଟାର୍ଗେଟରେ। ତିହାର ଜେଲରେ ହିଁ ଅଫତାବକୁ ହତ୍ୟା କରିବାକୁ ଷଡଯନ୍ତ୍ର କରାଯାଉଛି।