Wednesday, June 18, 2025

ମାଣବସା ଗୁରୁବାର – ଲକ୍ଷ୍ମୀପୂଜା ..

ମାଣବସା, ମାଣବସା ଗୁରୁବାର ଓଷା ବା ମାଣ ଓଷା ନାମରେ ମଧ୍ୟ ଜଣା। ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ। ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାଆନ୍ତି। ମାଣବସାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ। ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି। ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ। ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ”ରେ ସଜାଯାଇଥାଏ। ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ। ମାଣ ବସାଇବାରୁ “ମାଣବସା” ନାମ ଆଧାରିତ। ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣ ବ୍ୟବହାର ହୋଇଥାଏ।ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟି ମାଣବସା ନାମରେ ଜଣା। ଏହି ପର୍ବ ସମାନ ବିଧିରେ ଓଡ଼ିଶାର ବିଭିନ୍ନ ଆଦିବାସୀ ସମାଜରେ ମଧ୍ୟ ପାଳିତ ହୋଇଥାଏ। ସାନ୍ତାଳ ମାନେ “ଇରୁ ମାମଣେ”, ଭୂୟାଁମାନେ “ମଗୁଶୀର ଗୁରୁବାର ହଲବା”, ହୋ ଓ ଓମାନାତ୍ୟାମାନେ ଲକ୍ଷ୍ମୀ ପୂଜା କରିଥାଆନ୍ତି।

ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ। ଏହା ମତେ ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କୁ ମାଣବସା ଗୁରୁବାର ବାବଦରେ ଜଣାଇ ଦେଶ ଭ୍ରମଣରେ ବଡ଼ ଦେଉଳରୁ ବିଜେ କଲେ। କିଏ ତାଙ୍କୁ ପୂଜୁଛି ତାହା ଜାଣିବା ନିମନ୍ତେ ସେ ଘର ଘର ବୁଲିଲେ। ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ ଶ୍ରୀୟା ନାମକ ଜଣେ ଦଳିତ ନାରୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖିବା ଦେଖି ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ। ଏହା ଶୁଣି ବଳରାମ କୋପକଲେ। ସେତେବେଳର ସମାଜରେ ଦଳିତମାନଙ୍କୁ ଅଛୁଆଁ ଭାବେ ଗଣା ଯାଉଥିବାରୁ ଜଣେ ଦଳିତ ଲୋକର ଘରେ ପାଦ ଦେଇଥିବାକୁ ଅପରାଧ ବିବେଚନା କରି ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା। ଅପମାନିତ ହୋଇ ସେ ଘରୁ ବାହାରି ଗଲେ। ଯିବା ବେଳେ ପଣ କଲେ କାଳିଆ- ବଳିଆ (ଜଗନ୍ନାଥ- ବଳଭଦ୍ର) ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ। ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ତାଳବେତାଳ ନାମକ ଆଉ ଏକ ପ୍ରାସାଦ ଗଢ଼ାହେଲା। ଲକ୍ଷ୍ମୀ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ତାହାକୁ ଶ୍ରୀହୀନ କରିଦେଲେ। ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ। ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମାଲିକ/ମାଲିକାଣୀଙ୍କୁ ଲୋଡ଼ିଲେ। ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ। ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ।

ଲକ୍ଷ୍ମୀ ପୂରାଣ – ଗୁରୁବାର ଗୀତ: ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ ..


ଚାଉଳ ବଟାରେ ଝୋଟି ଚିତା କାଟିବା ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ। ଚାଷୀ ତା’ର ଖଳାକୁ ଧାନହଳା ଆଣିଥାଏ। ଧାନ ଅମଳ କରି ଘରକୁ ଆଣିବା ଆଗରୁ ତା’ର ଘରଣୀ ଏଥିରୁ ଧଳାଧାନର ଶିଶା ବାଛି ବାହାର କରିଥାଏ। ଏହି ଧାନର ଶିଶାରେ ବେଣୀ ବାନ୍ଧି ମେଣ୍ଟିବା ମେଣ୍ଟା ପ୍ରସ୍ତୁତ କରି ଏହାକୁ ଶୁଖାଇ ଅତି ଯତ୍ନ ଓ ଆଦରରେ ରଖିଥାଏ। ଗୁରୁବାର ଓଷାର ପୂର୍ବ ଦିନରୁ ଘର ଦ୍ୱାର ଅଗଣା ଓ ଘର ଚାରିପାଖ ଗୋବର ମାଟିରେ ଲିପା ପୋଛା କରି ପରିଷ୍କାର କରିଥାଏ। ଅମଳ ପରେ ଖଳାରେ ସେହି ସ୍ତୁପୀକୃତ ଧାନକୁ ଅନ୍ନ ଓ ଧନର ଦେବୀ ଲକ୍ଷ୍ମୀଙ୍କର ଆଶିଷ ବୋଲି ମାନି ଏହି ଓଷା ପାଳନ କରାଯାଇଥାଏ। ଗୁରୁବାରରେ କରାଯାଇଥିବା ଝୋଟି ବା ଚିତାକୁ ‘ତ୍ରିଶାଖା ଗୁଚ୍ଛ’ କୁହାଯାଏ। ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି। ଗୁରୁବାର ଦିନ ବଡ଼ି ଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାଆନ୍ତି। ଗାଁ’ ମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ଆଙ୍କନ୍ତି। ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ। ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ। ହଳଦୀ ଓ ଗୁଗୁଳ ବାଟି ମାଣର ଉପରପାଶ୍ୱର୍ରେ ଲେପ ଦିଆଯାଏ ଯାହାଏକ ମୁହଁର ରୂପ ନେଇଥାଏ। ସେଥିରେ କଉଡିକୁ ଆଖିଭାବେ ବ୍ୟବାରକରି ନିଜର ସୃଜନ ଶୈଳିଦ୍ୱାରା ମାଣକୁ ଏକ ସୁନ୍ଦର ମୁହଁର ରୂପ ଦେଇ ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ। ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ। କେହି କେହି ମାଣକୁ କାରିଗରଦ୍ୱାରା ଗଢାଇ ସୋଲ ଓ ଅନ୍ୟାନ୍ୟ ଦ୍ରବ୍ୟରେ ସେଥିରେ ଆଖି, ନାକ, କାନ ସୁନ୍ଦର ଭାବେ ଗଢାଇ ପୂଜା କରିଥାଆନ୍ତି। ମା’ ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ। ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ। କେହି କେହି ଗବପତ୍ର, ଗୟାତୁଳସୀ, କଳାପାତି, ସିନ୍ଦର ଫରୁଆ, ପିତ୍ତଳମୂର୍ତ୍ତି ଇତ୍ୟାଦି ମଧ୍ୟ ରଖିଥାଆନ୍ତି। ଧାନଖଳାକୁ ମଧ୍ୟ ସେଦିନ ଝୋଟିଚିତାରେ ଚିତ୍ରିତ କରାଯାଇଥାଏ। ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜାସ୍ଥାନରେ ପିଠଉରେ କୋଠି କରି ଷୋହଳ ପାଖୁଡା ପଦ୍ମଫୁଲ ଅଙ୍କାଯାଏ। ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ, ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ। ମାଣ ବସାଇବା ପୂର୍ବରୁ ସେହି ମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ। ପ୍ରଥମେ ଏକ ଖଟୁଲିରେ କିଛି ନୂଆଧାନ ରଖାଯାଏ। ସିନ୍ଦୂର ବୋଳାଯାଇଥିବା ମାଣ ବା ଗଉଣୀକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ୱରୂପ ନୂଆ ଧଳାଧାନରେ ପୂର୍ଣ୍ଣକରି ତା’ ଉପରେ ଗୁଆ ରଖାଯାଏ। ସେହି ମାଣକୁ ଖଟୁଲି ଉପରେ ବସାଇ ତା’ଉପରେ ଧାନବେଣୀ ରଖି ନୂତନ ପାଟଲୁଗାର ଓଢ଼ଣୀ ଢଙ୍କାଯାଏ। ଲକ୍ଷ୍ମୀଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୂର ଆଦି ଦେଇ ସ୍ଥାପନା କରାଯାଏ। ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ।

ପୂଜାରେ ଲକ୍ଷ୍ମୀଙ୍କ ପାଖରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ। ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ। ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ। ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ। ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନେବେଦ୍ୟ ସହ ବାଳଭୋଗରେ ଛେନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ। ତିନିଧୂପ ମଧ୍ୟରୁ ଏହାକୁ ବାଳଧୂପ କୁହାଯାଏ। ଏହାପରେ ମଧ୍ୟାହ୍ନ ଧୂପପାଇଁ ପ୍ରସ୍ତୁତି ଆରମ୍ଭ ହୁଏ। ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପରେ ଲାଗିହେବା ପାଇଁ ଖିରି ବା ତରଣ, ଚକୁଳିପିଠା, ତରକାରି ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ଭୋଗ ଲଗାଯାଏ। ମଧ୍ୟାହ୍ନ ଭୋଗପରେ ମା’ଙ୍କ ସମ୍ମୁଖରେ ଲକ୍ଷ୍ମୀ ପୁରାଣ ବୋଲାଯାଏ। ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାଆନ୍ତି। ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନଦେବାର ନିୟମ ଅଛି। ଗୋଧୂଳି ସମୟରେ ସନ୍ଧ୍ୟା ଧୂପରେ ଆଉଥରେ ବାଳଧୂପପରି ଭୋଗ ଲଗାଯାଇ ସଧ୍ୟା ପୂଜା କରାଯାଏ। ଦୂତୀୟ ଗୁରୁବାରରେ ଚିତଉପିଠା, ଦହିକାଲୁଆ ଏବଂ ତୃତୀୟ ଗୁରୁବାରରେ ଖେଚୁଡ଼ି, ଡାଲମା ଏବଂ ଚତୁର୍ଥରେ ମଣ୍ଡା ପିଠା ଭୋଗ ଲାଗି ହୋଇଥାଏ। ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ। ଏହିଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ। ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ। ପୂଜାର ଅନ୍ୟ ସମସ୍ତ ସଜକୁ ସହକାରେ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ। ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ। ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles