ଭୁବନେଶ୍ୱର: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଦ୍ୱାରା ଆୟୋଜିତ ସର୍ବଭାଷା ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)ର ସରସଂଘଚାଳକ ଡ. ମୋହନ ଜୀ’ ଭାଗବତ କହିଛନ୍ତି ଯେ, ଭାଷା ହେଉଛି ସମାଜକୁ ଏକ କରିବାର ମୁଖ୍ୟ ମାଧ୍ୟମ। ଭାରତର ବିଭିନ୍ନ ଭାଷାର ୧୪ ଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ସମ୍ମାନିତ କରି ସେ କହିଛନ୍ତି ଯେ ଲୋକଙ୍କ ହୃଦୟ ତଥା ସମାଜକୁ ଯୋଡିବା ପାଇଁ ଭାଷା ହେଉଛି ମୁଖ୍ୟ ମାଧ୍ୟମ। ମୋହନ ଜୀ କହିଛନ୍ତି ଯେ, ସାହିତ୍ୟର ସୃଷ୍ଟି କେବଳ ମୁକ୍ତ ପ୍ରବାହ ନୁହେଁ ବରଂ ବହୁମୁଖୀ ହେବା ଉଚିତ। ସାହିତ୍ୟର ସୃଷ୍ଟି କେବଳ ଆତ୍ମସନ୍ତୋଷ ପାଇଁ ନୁହେଁ ବରଂ ଲୋକଙ୍କ ହିତ ପାଇଁ ହେବା ଉଚିତ। ଭାଷା ଉପଯୁକ୍ତ ପ୍ରୟୋଗ ଓ ବ୍ୟବହାର ଦ୍ୱାରା ସମ୍ମାନିତ ହୁଏ। ଭାଷା କେବଳ ପୁରସ୍କାର ଏବଂ ସମ୍ମାନ ପାଇ ଅଗ୍ରଗତି କରେ ନାହିଁ। ବର୍ତ୍ତମାନ ଭାରତର ମାର୍ଗଦର୍ଶନକୁ ସମଗ୍ର ବିଶ୍ୱ ଚାହିଁରହିଛି। ମୋହନ ଜୀ’ କହିଛନ୍ତି ଯେ, ଧର୍ମକୁ ନେଇ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି। ପୂଜା ପଦ୍ଧତି ଧର୍ମ ନୁହେଁ। ଲୋକମାନଙ୍କର ପୂଜାପାଠର ଭିନ୍ନ ଭିନ୍ନ ପଦ୍ଧତି ଥାଇପାରେ, କିନ୍ତୁ ଧର୍ମ ଏକ। ଯାହା ହେଉଛି ଚିରନ୍ତନ ଓ ସାଶ୍ୱତ। ଭାଗବତ ଜୀ କହିଲେ ଯେ, ମନୁଷ୍ୟ ଓ ପ୍ରାଣୀଙ୍କ ମଧ୍ୟରେ ଅନ୍ତର ହେଲା ପ୍ରାଣୀ ଜଗତ କେବଳ ନିଜ ହିତ କଥା ଚିନ୍ତା କରିଥାଏ। ସେମାନେ ଆହାର, ବିହାର, ନିଦ୍ରା, ମୈଥୁନରେ ରତ ରହିଥାନ୍ତି। କିନ୍ତୁ ମନୁଷ୍ୟ ଏସବୁ ସହିତ ଅନ୍ୟର ହିତ କଥା ଚିନ୍ତା କରିଥାଏ। ଦେଶରେ ପ୍ରଚଳିତ ବିଭିନ୍ନ ଭାଷାମାନଙ୍କ ବିଷୟରେ ଭାଗବତ ଜୀ କହିଲେ ଯେ, ସମସ୍ତେ ମାତୃଭାଷା ପ୍ରୟୋଗ କରିବା ଉଚିତ। ଯେ ପର୍ଯ୍ୟନ୍ତ ଆମେ ନିଜ ଭାଷାରେ ସମ୍ବାଦ କରିବା ନାହିଁ ସେ ପର୍ଯ୍ୟନ୍ତ ଆମ ଭାଷାର ଉନ୍ନତି ହେବ ନାହିଁ।
ଏହା ସହ ମୋହନ ଜୀ’ କହିଲେ ଯେ ବର୍ତ୍ତମାନ ସମୟରେ ମାନବ ସମାଜ ଏଭଳି ଏକ ପରିସ୍ଥିତି ଦେଇ ଗତି କରୁଛି ଯହିଁରେ ସେ କେବଳ ନିଜ ହିତାହିତ କଥା ଚିନ୍ତା କରୁଛି। ଏଭଳି ଆତ୍ମ ସ୍ୱାର୍ଥରେ ବୁଡି ରହିଥିବା ସମାଜ କେବେହେଲେ ଆଗକୁ ବଢି ପାରିବ ନାହିଁ। ସମାଜକୁ ଜାଗ୍ରତ କରିବା ନିମନ୍ତେ ସାହିତ୍ୟିକମାନଙ୍କୁ ପ୍ରଚେଷ୍ଠା କରିବାକୁ ହେବ। ଭାଗବତଜୀ ଆହୁରି ମଧ୍ୟ କହିଲେ ଯେ, ଏକତାର ବିବିଧତା ହିଁ ଭାରତର ବିଶିଷ୍ଟତା। ଏହି କଥା ବୁଝିବାରେ ଲୋକେ ପ୍ରାୟତଃ ଭୁଲ କରି ବସନ୍ତି। ଆଉ ଅନେକତାରେ ଏକତାର କଥା କୁହନ୍ତି। ହେଲେ ବାସ୍ତବିକତା ହେଉଛି ଆମର ଏକତାର ବିବିଧତା ହିଁ ଆମ ସଂସ୍କୃତିର ପରିଚାୟକ। ସେ କହିଲେ ଯେ, ଧର୍ମକୁ ନେଇ ଭାରତର ଚିନ୍ତାଧାରା ସୁଷ୍ପଷ୍ଟ। ଧର୍ମ ସମସ୍ତଙ୍କୁ ଯୋଡି ରଖେ କାହାକୁ ବିଖଣ୍ଡିତ କରିବାକୁ ଦିଏ ନାହିଁ। ଭାରତ ବ୍ୟତୀତ ଅନ୍ୟ ଦେଶମାନଙ୍କରେ ଧର୍ମକୁ ରିଲିଜିୟନ କୁହାଯାଏ। କିନ୍ତୁ ରିଲିଜିୟନ ହେଉଛି ଉପାସନା ପଦ୍ଧତି,ଏହା କଦାପି ଧର୍ମ ନୁହେଁ। ଭାଗବତ ଜୀ କହିଲେ ଯେ, ବର୍ତ୍ତମାନ ସମୟ ଭାରତ ନିମନ୍ତେ ଅନୁକୁଳ ଅଟେ। ଏଣୁ ସାହିିତ୍ୟିକମାନେ ନିଜର ଉତ୍ତରଦାୟିତ୍ୱ ବୁଝି ଧର୍ମ ସମ୍ବନ୍ଧୀୟ ଭ୍ରମ ଦୂର କରିବା ସହିତ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବା ନିମନ୍ତେ ନିଜର ମହତ୍ୱପୂର୍ଣ୍ଣ ଭୂମିକା ନିର୍ବହନ କରନ୍ତୁ। ଏହି କାର୍ଯ୍ୟକ୍ରମରେ ଡ. ଧରଣୀଧର ନାଥ ଆଇଏଏସ୍ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସାହିତ୍ୟ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ସୁଶୀଲ ଚନ୍ଦ୍ର ତ୍ରୀବେଦୀ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ବିଦ୍ୱାନ, ସାହିତ୍ୟିକ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।