ବେଙ୍ଗାଲୁରୁ: ବେଙ୍ଗାଲୁରୁର ମାଲେଶ୍ୱରମ ଅଞ୍ଚଳରେ ମହାଲକ୍ଷ୍ମୀ ନାମକ ଜଣେ ୨୯ ବର୍ଷୀୟା ମହିଳାଙ୍କୁ ହତ୍ୟା କରିବା ପରେ ଖଣ୍ଡଖଣ୍ଡ କାଟି ଫ୍ରିଜରେ ରଖିବା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସିଟି ପୁଲିସ କମିଶନର ବି.ଦୟାନନ୍ଦ କହିଛନ୍ତି ଯେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଘର ହେଉଛି ଓଡିଶା। ସେ ମୃତ ମହିଳାଙ୍କର ପ୍ରେମିକ ଥିଲା ଏବଂ ଏଠାରେ ଆସି ଅନେକ ସମୟରେ ରହୁଥିଲା। ହତ୍ୟାକାଣ୍ଡ ପରେ ସେ ଫେରାର ହୋଇଯାଇଛି। ଏବେ ସେ ପଶ୍ଚିମବଙ୍ଗରେ ରହୁଥିବା ସୂଚନା ମିଳିଛି। ତାକୁ ଧରିବାକୁ ୬ଟି ଟିମ ଗଠନ କରାଯାଇଛି। ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ। ତେବେ ଘଟଣା ସମ୍ପର୍କରେ ମୃତ ମହିଳାଙ୍କୁ ନେବା ଆଣିବା କରୁଥିବା ଜଣେ ବ୍ୟକ୍ତି ଓ ସପିଂ ମଲର ଜଣେ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯାଇଛି। ଯାଞ୍ଚ ବେଳେ ଫ୍ରିଜ ଭିତରୁ ମହିଳାଙ୍କର ୫୯ ଖଣ୍ଡ ମାଂସ ଟୁକୁଡା ମିଳିଛି। ଫ୍ରିଜ ନିକଟରେ ଏକ ନୀଳ ସୁଟକେଶ ମଧ୍ୟ ରହିଛି। ସେହି ସୁଟକେଶ ମାଧ୍ୟମରେ କିଛି ମାଂସ ଟୁକୁଡାକୁ ବାହାରେ ଫିଙ୍ଗାଯାଇଥିବା ଅନୁମାନ କରାଯାଉଛି। ମୃତ ମହିଳା ତାଙ୍କ ସ୍ୱାମୀ ଓ ଝିଅଠାରୁ ଅଲଗା ହୋଇ ପ୍ରାୟ ୬ ମାସ ହେଲା ଏଠାରେ ଭଡା ଘରେ ରହୁଥିଲେ। ଅପରପକ୍ଷରେ ମୃତ ମହିଳାଙ୍କ ସ୍ୱାମୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ ପ୍ରେମିକ ହିଁ ମହାଲକ୍ଷ୍ମୀଙ୍କ ମୁଖ୍ୟ ହତ୍ୟାକାରୀ।