ଭୁବନେଶ୍ୱର: ଏକଦା ଓଡ଼ିଶା ଗସ୍ତରେ ଆସି ନବୀନ ସରକାରକୁ ପୋଡ଼ା ଟ୍ରାନ୍ସଫର୍ମର କହି ଏହାକୁ ଉପାଡ଼ି ଫିଙ୍ଗିଦିଅ ବୋଲି କହିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କିନ୍ତୁ, ଆଜି ବିଜେପି – ବିଜେଡି ଭିତରେ ମେଣ୍ଟ ହେବା ନେଇ ଚାଲିଛି ଜୋରଦାର୍ ଆଲୋଚନା। କେନ୍ଦ୍ରରେ ଅଧିକରୁ ଅଧିକ ଲୋକସଭା ଆସନ ଜିତିବାକୁ ଚାହୁଁଛନ୍ତି ମୋଦୀ। ଏନଡିଏର କାୟା ବିସ୍ତାର ହେଉ ବୋଲି ଚାହୁଁଛନ୍ତି ମୋଦୀ। ଏପରି ସ୍ଥିତିରେ ଇଣ୍ଡିଆ ମେଣ୍ଟ ଛିଡ଼ୁ ଏବଂ ଏନଡିଏ ମେଣ୍ଟ ବଢୁ ବୋଲି ମୋଦୀ ଚାହିଁବା ସ୍ଵଭାବିକ। ଏମିତିରେ ନରେନ୍ଦ୍ର ମୋଦୀ ଓଡ଼ିଶା ବିଜେପି ନେତାଙ୍କୁ ଅନେକ ସୁଯୋଗ ଦେଇଛନ୍ତି। କିନ୍ତୁ ପ୍ରତିବଦଳରେ ମୋଦୀଙ୍କୁ ସେପରି କିଛି ଦେଇ ପାରି ନାହାଁନ୍ତି ଓଡ଼ିଶା ବିଜେପି ନେତା। ମୋଦୀ ଅନେକ ସୁଯୋଗ ଦେବା ସତ୍ତ୍ୱେ ଓଡ଼ିଶାରେ ବିଜେପି ସରକାର କରିବାରେ ବିଫଳ ହୋଇଛନ୍ତି ଓଡ଼ିଶା ବିଜେପି ନେତା। ତେଣୁ, ଏପରି ସ୍ଥିତିରେ ଓଡ଼ିଶାରେ ବିଜେପି – ବିଜେଡି ମେଣ୍ଟ ହେଉ ଏବଂ ବିଜେଡି ଏନଡିଏରେ ସାମିଲ ହେଉ ବୋଲି ଚାହୁଁଛନ୍ତି ମୋଦୀ। ତେବେ ଏହା ଯଦି ସତ୍ୟ ହୁଏ ଏବଂ ବିଜେପି – ବିଜେଡି ଭିତରେ ମେଣ୍ଟ ହୁଏ, ତେବେ ପୋଡ଼ା ଟ୍ରାନ୍ସଫର୍ମରରୁ କରେଣ୍ଟ ନେଲେ ମୋଦୀ ସରକାର ବୋଲି ବୁଝିବାକୁ ହେବ। ନଚେତ୍ ଅମିତ ଶାହା ଭୁଲ୍ ବୁଝିଥିଲେ, ନବୀନ ପଟ୍ଟନାୟକ ନୁହଁ ବରଂ ଓଡ଼ିଶା ବିଜେପିର ମଙ୍ଗୁଆଳ କରି ସଜାଇ ଦେଇଥିବା ଧର୍ମେନ୍ଦ୍ର ପ୍ରଧାନ ହିଁ ପୋଡ଼ା ଟ୍ରାନ୍ସଫର୍ମର ବୋଲି ପ୍ରମାଣିତ ହେବ।