ଭୁବନେଶ୍ୱର: ଠାକୂର ଲଗାଇବେ ଠୋକର୍ – ପ୍ରତାପ ଷଡ଼ଙ୍ଗୀଙ୍କ ଦଶା ଭୋଗିବେ ମୋହନ ସରକାର! ଠାକୂର ମାନେ ବିଜେପି ନେତା ଠାକୂର ରଞ୍ଜିତ ଦାସ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଅନୁଗତ। ୨୦୧୯ ମସିହାରେ ମୋଦୀଙ୍କ ନେତୃତ୍ୱରେ ବିଜେପି ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ” ଏବଂ “ଦୁଗ୍ଧ, ପଶୁପାଳନ ଓ ମତ୍ସ୍ୟପାଳନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ପାଇଥିଲେ। ପ୍ରତାପ ସାଂସଦ ଭାବରେ ଜିତି କେନ୍ଦ୍ରମନ୍ତ୍ରୀ ହେବା ପରେ ତାଙ୍କ ପାଖରେ ଛାଇ ପରି ଲାଖି ରହିଥିଲେ ଠାକୂର ରଞ୍ଜିତ ଦାସ। କୁହାଯାଏ, ଧର୍ମେନ୍ଦ୍ର ପ୍ରଧାନଙ୍କ ଏଜେଣ୍ଟ ଭାବରେ ପ୍ରତାପଙ୍କ ପାଖରେ ରହି ଷଡ଼ଯନ୍ତ୍ର ରଚିଥିଲେ ଠାକୂର। ପରିଣତି କ’ଣ ହେଲା ସମସ୍ତେ ଦେଖିଲେ। ଏକ ଅପମାନଜନକ ସ୍ଥିତିରେ ଅଧାରୁ ମନ୍ତ୍ରୀ ମଣ୍ଡଳରୁ ବିଦା ହେଲେ ପ୍ରତାପ ଷଡ଼ଙ୍ଗୀ। ଏହା ପଛରେ ଠାକୂର ରଞ୍ଜିତ ଦାସଙ୍କ ବଡ଼ ଭୂମିକା ରହିଛି ବୋଲି କୁହାଯାଏ।
ସେହିପରି ଏବେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ପାଖେ ଛାଇ ପରି ଲାଖି ରହିଛନ୍ତି ଠାକୂର ରଞ୍ଜିତ। ଏସବୁ ସେହି ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନା ବୋଲି କୁହାଯାଉଛି। ମୋହନ ମାଝୀଙ୍କ ପାଖେ ପାଖେ ରହି ଷଡ଼ଯନ୍ତ୍ର କରି ପ୍ରତାପ ଷଡ଼ଙ୍ଗୀଙ୍କ ପରି ମୋହନ ମାଝୀଙ୍କୁ ଠୋକର୍ ଦେଇ ଅଧାରୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଯୋଜନାରେ ଅଛନ୍ତି ଠାକୂର ରଞ୍ଜିତ ଦାସ ବୋଲି ଆଲୋଚନା ହେଉଛି। ପ୍ରତାପଙ୍କ ପରି ଯଦି ମୋହନ ମାଝୀ ନ’ବୁଝନ୍ତି, ତେବେ ତାଙ୍କୁ ଠାକୂର ଠୋକର୍ ଲଗାଇ ଦେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଲୋଚନା ହେଉଛି। ବେଳୁ ହିଁ ସାବଧାନ୍।