ଭୁବନେଶ୍ୱର: ସଙ୍ଗଠନକୁ ସଶକ୍ତ କରିବା ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ବିଗତ କିଛିଦିନ ଧରି ଶଙ୍ଖ ଭବନ ଠାରେ ଚାଲିଥିବା ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ କ୍ରମରେ ସୋମବାର ଦିନ ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେଇ ଜିଲ୍ଲାର କାର୍ଯ୍ୟକର୍ତ୍ତା, କର୍ମୀ ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ସଙ୍ଗଠନ ବିଷୟରେ ସିଧାସଳଖ ଆଲୋଚନା କରିଥିଲେ। ଏହି ସଭାରେ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ, ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସଙ୍କ ସହ ଜିଲ୍ଲାର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇ ଦଳୀୟ ସଙ୍ଗଠନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଦଳର ସଭାପତି ନବୀନ ପଟ୍ଟନାୟକ କହିଥିଲେ, “ଆପଣମାନେ ଏକଜୁଟ୍ ହୋଇ ଲୋକଙ୍କ ପାଇଁ କାମ କରନ୍ତୁ। ଖାଲି ଆପଣଙ୍କ ଜିଲ୍ଲାରେ ନୁହେଁ ବରଂ ସମଗ୍ର ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ଦୁର୍ନୀତି ମଧ୍ୟ ଆରମ୍ଭ ହୋଇଛି। ଆମ ସରକାର ସମୟରେ ରାଜ୍ୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିଲା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଥିଲା। ଆପଣମାନେ ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣନ୍ତୁ, ଆମେ ଏକଜୁଟ୍ ହୋଇ ଲଢେ଼ଇ କଲେ ପୁନର୍ବାର କ୍ଷମତାକୁ ଆସିବା।” ସେହିପରି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଆଗାମୀ ଦିନରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ସୁସଂଗଠିତ ହୋଇ ରାଜ୍ୟରେ ଥିବା ବିଜେପି ସରକାର ବିରୋଧରେ ଲଢେ଼ଇ ଜାରି ରଖିବ।