ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ର ଘୋଷଣା କରିଛନ୍ତି। ଯାହା ଅଧୀନରେ ୧ କୋଟି ପରିବାରର ଛାତରେ ସୌରଶକ୍ତିର ବ୍ୟବସ୍ଥା ରହିବ। ଏ’ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠାର ଶୁଭ ଅବସରରେ ମୋର ସଂକଳ୍ପ ଆହୁରି ମଜଭୁତ ହୋଇଛି ଯେ, ଭାରତର ଲୋକଙ୍କ ଘର ଛାତ ଉପରେ ସେମାନଙ୍କ ନିଜର ସୌରଛାତ ବା ସୋଲାର ରୁଫ୍ଟପ୍ ସିଷ୍ଟମ ରହୁ। ଅଯୋଧ୍ୟା ଫେରିବା ପରେ ମୁଁ ପ୍ରଥମ ନିଷ୍ପତ୍ତି ଏହା ନେଇଛି ଯେ, ଆମ ସରକାର ୧ କୋଟି ଘର ଛାତରେ ସୋଲାର ପ୍ୟାନେଲ ଲଗାଇବା ଲକ୍ଷ୍ୟ ସହ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ ଆରମ୍ଭ କରିବେ। ଏଥିରେ କେବଳ ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କ ବିଜୁଳି ବିଲ୍ କମ୍ ହେବ ନାହିଁ ବରଂ ଭାରତ ଶକ୍ତି କ୍ଷେତ୍ରରେ ବି ଆତ୍ମନିର୍ଭର ହେବ।’