ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗତ ୧୭ ତାରିଖରେ ଲୋକାର୍ପିତ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେଇଛନ୍ତି ଗଜପତି ମହାରାଜା। ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ପରିକ୍ରମା ପ୍ରକଳ୍ପ ପାଇଁ ଗଜପତି ମହାରାଜା ସମସ୍ତ ସହଯୋଗ ଯୋଗାଇ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ପରିକ୍ରମା ପ୍ରକଳ୍ପ ମୁଖ୍ୟତଃ ଶ୍ରୀମନ୍ଦିରର ନିରାପତ୍ତା, ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ଉଦେଶ୍ୟରେ କରାଯାଇଛି। ଏଥିସହ ମେଘନାଦ ପ୍ରାଚୀର କଡ଼େ କଡ଼େ ବାହ୍ୟ ପରିକ୍ରମାର ଦିବ୍ୟ ଅନୁଭବ ପ୍ରଦାନ କରିବା ପାଇଁ ମଧ୍ୟ ଶ୍ରୀମନ୍ଦିର ଚୌହଦୀର ୭୫ ମିଟର ପରିଧିକୁ ନୂଆ ରୂପ ଦିଆଯାଇଛି। ଯାହା ଫଳରେ ଭକ୍ତଟିଏ ଶ୍ରୀମନ୍ଦିର ପରିକ୍ରମା କରିପାରିବ।