ବ୍ରହ୍ମପୁର: ଆସ୍ଥା ଭୋଟରେ ହାରି ଯାଇଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼। ଗତ ପୌର ନିର୍ବାଚନ ପରେ ୨୦୨୨ ଏପ୍ରିଲ ୫ ତାରିଖରେ ପୁରୁଷୋତ୍ତମପୁର ଏନ୍ଏସି ଅଧ୍ୟକ୍ଷା ଭାବେ ପ୍ରିୟଙ୍କା ଦାୟିତ୍ୱ ନେଇଥିଲେ। ମାତ୍ର ଏହା ପରେ ତାଙ୍କ ସ୍ବାମୀ ତଥା କାଉନସିଲର ଅଶୋକ କୁମାର ମହାକୁଡ଼ଙ୍କ କାର୍ଯ୍ୟକଳାପ ନେଇ ଅନ୍ୟ କାଉନସିଲର ମାନେ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଯାଇଥିଲା। ଯାହାକି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଗାଦିଚ୍ୟୁତ କରିବା ଲାଗି ଦୀର୍ଘଦିନ ହେଲା ଚର୍ଚ୍ଚା ଲାଗିରହିଥିଲା ଯାହାର ଏବେ ପୂର୍ଣ୍ଣଛେଦ ପଡିଛି। ଅନାସ୍ଥା ଅଭିଯୋଗ ଉପରେ ଜିଲାପାଳଙ୍କ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହନ୍ତ ନିର୍ବାଚନ ଅଧିକାରୀ ଭାବେ ପୁରୁଷୋତ୍ତମପୁର ଏନ୍ଏସିରେ ପହଞ୍ଚିଥିଲେ। ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ଓ୍ବାର୍ଡ ନଂ ୪ର କାଉନସିଲର ଅଶୋକ କୁମାର ମହାକୁଡ, ଓ୍ବାର୍ଡ ନଂ ୬ର କାଉନସିଲର ସୁଦେଷ୍ଣା ବେହେରା ଓ ଓ୍ବାର୍ଡ ନଂ ୧୧ର କାଉନସିଲର ଅରୁଣ କୁମାର ମହାକୁଡ଼ ଅନୁପସ୍ଥିତ ରହିଥିବା ବେଳେ ସେଠାରେ ଉପସ୍ଥିତ ଥିବା ୧୦ ଜଣ କାଉନସିଲରଙ୍କୁ ନେଇ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ମାତ୍ର ଆଲୋଚନା ସଫଳ ନ ହେବାରୁ ଭୋଟିଂ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିରେ ଉପସ୍ଥିତ ସମସ୍ତ ୧୦ ଜଣ କାଉନସିଲର ଅଧ୍ୟକ୍ଷାଙ୍କ ବିରୋଧରେ ତଥା ଅନାସ୍ଥା ସପକ୍ଷରେ ଭୋଟ୍ ଦେଇଥିଲେ। ଫଳରେ ଗାଦିଚ୍ୟୁତ ହୋଇଛନ୍ତି ପ୍ରିୟଙ୍କା ଗୌଡ଼ ଏବଂ ବିଜେଡିକୁ ଲାଗିଛି ଏକ ବଡ଼ ଝଟକା।