Wednesday, June 18, 2025

ରକ୍ତତୀର୍ଥ ଇରମ୍: ବୀର ସହିଦଙ୍କ ସ୍ମୃତିରେ ..

ଭଦ୍ରକ ଜିଲ୍ଲା ବାସୁଦେବପୁରଠାରୁ ପ୍ରାୟ ୧୬ କିଲୋମିଟର ଦୂରରେ ଅବସ୍ଥିତ ରକ୍ତତୀର୍ଥ ଇରମ୍‌। ଇରମ୍ ଥିଲା ମୁକ୍ତି ଆନ୍ଦୋଳନର ଏକ ପ୍ରୟୋଗଶାଳା। ଗାଁ’ର ଗୋଟିଏ ପାର୍ଶ୍ୱରେ ବଙ୍ଗୋପସାଗର ସୁନୀଳ ଜଳରାଶି ସହିତ ଅନ୍ୟ ତିନି ପାର୍ଶ୍ୱକୁ ବେଢ଼ି ବହି ଯାଇଛି ଗମେଇ ଓ କାଂଶବାଂଶ ନଦୀର ଜଳଧାରା। ସେଥିପାଇଁ ଇରମ୍‌ ଗାଁ’କୁ ସହଜରେ ପ୍ରବେଶ କରି ପାରୁନଥିଲେ ବ୍ରିଟିଶ ପୋଲିସ୍। ପ୍ରାକୃତିକ ଅବସ୍ଥିତି ଦୃଷ୍ଟିରୁ ଇରମ୍‌ ଥିଲା ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ। ସଭାସମିତି ପାଇଁ ଗାଁ’ରେ ଥିଲା ଏକ ବିରାଟ ମେଳଣପଡ଼ିଆ। ଭାରତଛାଡ଼ ଅନ୍ଦୋଳନ ବେଳେ ଇରମ୍‌ ରଚିଥିଲା ବଳିଦାନର ଏକ ବିରଳ ଇତିହାସ। ସେଦିନ ଥିଲା ୧୯୪୨ ମସିହା ସେପ୍ଟେମ୍ବର ମାସ ୨୮ ତାରିଖ। ଅସ୍ତଗାମୀ ସୂର୍ଯ୍ୟଙ୍କ ସ୍ବର୍ଣ୍ଣିମ ଆଭାରେ ରକ୍ତାକ୍ତ ହୋଇ ଉଠିଥିଲା ଇରମ୍‌ ମେଳଣ ପଡ଼ିଆ। ସେଠାରେ ଅନୁଷ୍ଠିତ ସଭାରେ ସମ୍ମିଳିତ ହୋଇଥିଲେ ପ୍ରାୟ ୬ ହଜାର ସତ୍ୟାଗ୍ରହୀ। ସଭାକାର୍ଯ୍ୟ ଖୁବ୍‌ ଗମ୍ଭୀର ହୋଇ ଉଠିଥିବାବେଳେ ହଠାତ୍‌ ଜମିଦାର ଉଆସ ଆଡ଼ୁ ମାଡ଼ିଆସିଲା ବ୍ରିଟିଶ ପୋଲିସ ବାହିନୀ। ସଭାସ୍ଥଳ ଛାଡ଼ି ଚାଲିଯିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ଦେଲେ ଡିଏସ୍‌ପି କୁଞ୍ଜବିହାରୀ ମହାନ୍ତି। ମାତ୍ର ସତ୍ୟାଗ୍ରହୀ ମାନେ ସ୍ଥାନ ଛାଡ଼ିବା ପରିବେର୍ତ୍ତେ ଆରମ୍ଭ କରିଦେଲେ ନାରାବାଜି। “କରେଙ୍ଗେ ୟା ମରେଙ୍ଗେ, ଗୁଳିଗୋଳା ସେ ନେହିଁ ଡରେଙ୍ଗେ, ଲାଠି ମାଡ଼ସେ ନେହିଁ ଡରେଙ୍ଗେ, ଭାରତମାତାକୀ ଜୟ” ଆଦି ଧ୍ୱନିରେ ପ୍ରକମ୍ପିତ ହେଲା ମେଳଣପଡ଼ିଆ। ଲୋକଙ୍କୁ ଘଉଡ଼େଇବା ପାଇଁ ଡିଏସ୍‌ପିଙ୍କ ନିର୍ଦ୍ଦେଶରେ ଗର୍ଜିଉଠିଲା ପୋଲିସର ରକ୍ତମୁଖା ବନ୍ଧୁକ। ଘଟଣା ସ୍ଥଳରେ ଟଳି ପଡ଼ିଲେ ୨୮ ଜଣ। ଗୁରୁତର ଭାବେ ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଲେ ପ୍ରାୟ ୫୬ରୁ ଅଧିକ ନିରସ୍ତ୍ର ମଣିଷ। ଆହତଙ୍କ ମଧ୍ୟରୁ ଜଣେ ପରବର୍ତ୍ତୀ ମୁହୂର୍ତ୍ତରେ ମୃତ୍ୟୁ ବରଣ କଲେ। ତେଣୁ ମୃତ୍ୟୁ ସଂଖ୍ୟା ହୋଇଗଲା ୨୯। ନିହତ ମାନଙ୍କ ମଧ୍ୟରେ ଥିଲେ ବିଜୁଳି ଦାସ ନାମକ ଜଣେ ୧୫ ବର୍ଷର ନାବାଳକ ଏବଂ ସ୍ବାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ଏକମାତ୍ର ମହିଳା ଶହୀଦ ପରୀ ବେୱା।

ଶହୀଦ ମାନଙ୍କ ତାଲିକା –
ପରି ବେୱା (ଇରମ, ବାସୁଦେବପୁର), ଗୋପାଳ ଚନ୍ଦ୍ର ଦାସ (ପଢୁଆଁ), ବିଶ୍ୱନାଥ ଦାସ (ପଢୁଆଁ), ବିଜୁଳି ଦାସ (ପଢୁଆଁ), ହୃଷିକେଷ ବେହେରା (ପଢୁଆଁ), ମଦନ ପଲାଇ (ପଢୁଆଁ), ବଲ୍ଲଭ ବେହେରା (ପଢୁଆଁ), ମାଘ ମାହାଳିକ (ପଢୁଆଁ), ଭୁଆ ମାଝି (ପଢୁଆଁ), କାଳୀ ମାଝି (ପଢୁଆଁ, କୁମାରପୁର), ରାଧୁ ମାହାଳିକ (ପଢୁଆଁ, ମୂଳଡିହୀ), ଧ୍ରୁବ ଚରଣ ଦେ (ପଢୁଆଁ), ବାସୁଦେବ ସାହୁ (ପଢୁଆଁ), ହରି ବେହେରା (ପଢୁଆଁ), ଦିବାକର ପାଣିଗ୍ରାହୀ (ଗୁଡ, କେଶଗଡିଆ), କୃଷ୍ଣଚନ୍ଦ୍ର ସ୍ୱାଇଁ (ପଢୁଆଁ, କୁମାରପୁର), ଭବନ ରାଉତ (ପଢୁଆଁ, ନନ୍ଦପୁର), ନିଧି ମାହାଳିକ (ପଢୁଆଁ), ବୃନ୍ଦାବନ ପଣ୍ଡା (ପଢୁଆଁ), ଉପ ମଲ୍ଲିକ (ନୂଆଗାଁ), କୃପାସିନ୍ଧୁ ବେହେରା (ଶଂଖାରୁ), ରାମ ମାଝି (ପଢୁଆଁ, କୁମାରପୁର), ମଣି ବେହେରା (ପଢୁଆଁ), କତି ସାହୁ (ଈଶ୍ୱରପୁର), ରତ୍ନାକର ପାଣି (ସୁଦର୍ଶନପୁର), ମଣି ପ୍ରଧାନ (ସୁଆଣ- ସୁଦର୍ଶନପୁର), ପରି ଦାସ (ସୁଆଣ), ଶଙ୍କର ମଲ୍ଲିକ (ଅଧୁଆଁ), ଗୋବିନ୍ଦ (ରାଉତ, ଆର୍ତୁଗାଁ)।

ପଞ୍ଜାବର ଜାଲିଆନାୱାଲାବାଗ୍‌ ପରେ ଇରମ୍ ହେଉଛି ବଳିଦାନର ଦ୍ୱିତୀୟ ସ୍ଥଳ ଯେଉଁଠି ପରାଧୀନତାର ଶୃଙ୍ଖଳରୁ ଦେଶକୁ ମୁକ୍ତ କରିବା ପାଇଁ ଗୋଟିଏ ଦିନରେ ପୋଲିସ ଗୁଳିରେ ଆତ୍ମବଳି ଦେଇଥିଲେ ୨୯ ଜଣ ଦେଶପ୍ରେମୀ। ଆଜି ବି ଲୋକେ ଭୁଲି ନାହାଁନ୍ତି ଫିରିଙ୍ଗି ଶାସନର ସେହି କଳଙ୍କିତ ଅଧ୍ୟାୟ, ସେ ଗଣହତ୍ୟାର ମର୍ମାନ୍ତିକ ଦୃଶ୍ୟ। ସେଦିନର ସେ ଘଟଣା ମନେ ପକାଇ ଏବେବି ଗୁମୁରି କାନ୍ଦୁଛି ରକ୍ତତୀର୍ଥ ଇରମ୍‌। ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ କଳାସ୍ତମ୍ଭ ବଖାଣୁଛି ଦେଶପ୍ରେମର ସେ ବିରଳ ଗାଥା। ଆଜି ବି ସେ ସ୍ମୃତି ପୀଠରେ ପାଦ ଦେଲେ ହୃଦୟର ନିଭୃତତମ ପ୍ରଦେଶରୁ ବାହାରି ଆସେ ନୀରବ ଶ୍ରଦ୍ଧାଞ୍ଜଳି …

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles