ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ଓଡ଼ିଶା ପୂର୍ବ ପ୍ରାନ୍ତର ଦୁଇ ଦିନିଆ ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି (ୟୁବିଏସ୍ଏସ୍) ପରିସରରେ ଅନୁଷ୍ଠିତ ହୋଇଯାଇଛି। ଫେବୃୟାରୀ ୩ ଓ ୪ ଦୁଇ ଦିନଧରି ଅନୁଷ୍ଠିତ ଏହି ବୈଠକର ଶେଷ ଦିନରେ ସଂଘର ପ୍ରାନ୍ତ କାର୍ଯ୍ୟକାରିଣୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ସମୀର କୁମାର ମହାନ୍ତି ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ସଂଘଚାଳକ ରୂପେ ନିର୍ବାଚିତ ହୋଇଛନ୍ତି। ଏଥି ସହିତ ମନସୁଖଲାଲ ସେଠିଆ ସହ- ପ୍ରାନ୍ତ ସଂଘଚାଳକ ରୂପେ ମନୋନୀତ ହୋଇଛନ୍ତି। ଶରତ ସେନ୍, ପ୍ରଭାତ କୁମାର ସାହୁ ଓ ମନୋଜ ଚୌଧୁରୀ ତିନିଜଣ କେନ୍ଦ୍ରୀୟ ପ୍ରତିନିଧିଭାବେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ନିର୍ବାଚନ ପ୍ରତି ୩ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ଏହି ନିର୍ବାଚନରେ ପୂର୍ବ କ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରାସଦ ସାହୁ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବେଳେ ଡ. ଭଗବାନ ତ୍ରିପାଠୀ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିଲେ। ସମୀର କୁମାର ମହାନ୍ତି ପ୍ରାନ୍ତ ସଂଘଚାଳକ ଭାବେ ନିର୍ବାଚିତ ହେବା ପରେ ସେ ତାଙ୍କର ନୂତନ ପ୍ରାନ୍ତ କାର୍ଯ୍ୟକାରିଣୀ ଘୋଷଣା କରିଛନ୍ତି। ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ନୂତନ କାର୍ଯ୍ୟକାରିଣୀରେ ମୋଟ ୨୦ ସଦସ୍ୟ ମନୋନୀତ ହୋଇଥିବା ବେଳେ ଗତିବିଧି କାର୍ଯ୍ୟପାଇଁ ୭ ଜଣ ଏବଂ ନିମନ୍ତ୍ରିତ ସଦସ୍ୟ ଭାବେ ୨ ଜଣ ମନୋନୀତ ହୋଇଛନ୍ତି।