ଭୁବନେଶ୍ଵର: ଠିକ୍ ୧୯୯୯ ରାସ୍ତାରେ ୨୦୨୪ର ପାଣିପାଗ। ସେ ବର୍ଷ ଏପ୍ରିଲରେ ଭୀଷଣ ଗ୍ରୀଷ୍ମ ଲହରି ଅନୁଭୂତ ହୋଇଥିଲା । ଚଳିତ ବର୍ଷ ବି ସ୍ଥିତି ସେମିତି ଥିଲା। ଖାଲି ସେତିକି ନୁହେଁ, ୧୯୯୭ ଓ ୧୯୯୮ରେ ଶକ୍ତିଶାଳୀ ଏଲ୍-ନିନୋ ପ୍ରଭାବ ପରେ ୧୯୯୯ରେ ଲା- ନିନା ଆସିଥିଲା। ଏଥର ବି ଏଲ୍- ନିନୋ ପରେ ଲା- ନିନା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଲା- ନିନା ଆସିଲା, ତେବେ ଆସିପାରେ ବଡ଼ ବିପର୍ଯୟ। ବଢ଼ିଯାଇ ପାରେ ବାତ୍ୟା ସମ୍ଭାବନା। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଜାରି ହୋଇଥିବା ପୂର୍ବାନୁମାନ ଅନୁସାରେ ଅକ୍ଟୋବରରେ ଗରମ ଅଧିକ ହେବ, ବର୍ଷା ମଧ୍ୟ ଅଧିକ ହେବ। ଦିନ ତାପମାତ୍ରା ଅଧିକ ରହିବ। ରାତିରେ ବି ସ୍ୱାଭାବିକଠାରୁ ଢେର ଅଧିକ ହେବ ଗରମ। ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ଅକ୍ଟୋବରର ତାପମାତ୍ରା ଅଧିକ ରହିବା ବାତ୍ୟା ପାଇଁ ଅନୁକୂଳ ବାତାବରଣ ଆଣିପାରେ। ବାୟୁମଣ୍ଡଳରେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ରହୁଥିବାବେଳେ ସମୁଦ୍ର ଜଳପତ୍ତନ ତାପମାତ୍ରା ଅଧିକ ରହୁଛି। ଅକ୍ଟୋବରକୁ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଅକ୍ଟୋବର ମାସରେ ବର୍ଷା ଅଧିକ ହେବ। ଏହାସହ ତାପମାତ୍ରା ବି ସ୍ୱାଭାବିକଠାରୁ ଅଧିକ ରହିବ। ଏସବୁ ଦିଗକୁ ବିଶ୍ଳେଷଣ କରୁଛନ୍ତି ପାଣିପାଗ ବିଭାଗ ବୈଜ୍ଞାନିକ। ୧୯୯୯ ପରି ଆଉ ସ୍ଥିତି ଉପୁଜିବ କି? ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଓଡ଼ିଶାରେ ମାଡ଼ ହେବ କି ମହାବାତ୍ୟା? ଏସବୁ କଥା ନେଇ ମନରେ ଆଶଙ୍କା ସୃଷ୍ଟି ହେଉଛି। ତେବେ, ସ୍ପଷ୍ଟ ଭାବେ ଏସବୁ ଏବେଠାରୁ ଆକଳନ କରିବା ସମ୍ଭବପର ନୁହେଁ। କିନ୍ତୁ, ପାଣିପାଗର ପାରିପାଶ୍ୱିର୍କ ସ୍ଥିତି ଯାହା ରହିଛି, ତାହା ବାତ୍ୟା ସୃଷ୍ଟି ହେବା ପାଇଁ ଅନୁକୂଳ ବାତାବରଣ। ଅକ୍ଟୋବର ଆସିଲା। ପ୍ରତିବର୍ଷ ଅକ୍ଟୋବର ଆସିଲେ ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟକୁ ବାତ୍ୟା ଆସିବ କି ନେଇ ଭୟ ଘାରିଥାଏ। ବିଶେଷଜ୍ଞଙ୍କ କହିବାନୁସାରେ ଏ’ ବର୍ଷ ବାତ୍ୟା ହେବ କି ନାହିଁ, ତାହା ଏବେଠାରୁ କହି ହେବନି। ମାତ୍ର ୧୯୯୯ ଭଳି ସ୍ଥିତି ଏ ବର୍ଷ ଅନୁଭୂତ ହେଉଛି। ୧୯୯୯ରେ ଏପ୍ରିଲରେ ରେକର୍ଡ ଭାଙ୍ଗିଲା ଭଳି ତାତି, ଅଗଷ୍ଟରେ ନିଅଣ୍ଟିଆ ବର୍ଷା ଥିବାବେଳେ ସେପ୍ଟେମ୍ବରରେ ଅଧିକ ବର୍ଷା ହୋଇଥିଲା। ଏ ବର୍ଷ ସ୍ଥିତି ପ୍ରାୟ ସେଇଆ। ୧୯୯୯ ଭଳି ଏ ବର୍ଷ ବି ଲା- ନିନା ଆସିପାରେ। ଯଦି ଏହା ଅକ୍ଟୋବରରେ ଆସିଲା, ତେବେ ବାତ୍ୟା ସମ୍ଭାବନା ଅଧିକ। କାରଣ ଲା- ନିନା ହେଲେ ଦକ୍ଷିଣ ଚୀନ ସାଗରରେ ତାପମାତ୍ରା ଅଧିକ ରହିବ। ଫଳରେ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେବ। ସେଠାରେ ସୃଷ୍ଟି ହେଉଥିବା ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗର ମୁହାଁ ହୋଇ ବଳ ବଢ଼ାଇ ପୁଣି ବାତ୍ୟା ରୂପ ନେବାର ସମ୍ଭାବନା ରହୁଛି।
ପାଣିପାଗ ବୈଜ୍ଞାନିକଙ୍କ କହିବାନୁସାରେ ବାତ୍ୟା ନେଇ ଏବେଠାରୁ କିଛି ଆକଳନ କରି ହେବନି। ମାତ୍ର ପାରିପାଶ୍ୱିର୍କ ସ୍ଥିତି ଏଭଳି ସମ୍ଭାବନା ନେଇ ସଙ୍କେତ ଦେଖାଉଛି। ଚଳିତ ବର୍ଷ ଅକ୍ଟୋବର, ନଭେମ୍ବର, ଡିସେମ୍ବର, ଜାନୁଆରୀରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଅକ୍ଟୋବର ମାସରେ ବର୍ଷା ସ୍ୱାଭାବିକ ଠାରୁ ଅଧିକ ରହିବ, ତାପମାତ୍ରା ମଧ୍ୟ ଅଧିକ ରହିବ। ବାତ୍ୟା ହେବ କି ନାହିଁ, ଏବେଠାରୁ ଆକଳନ କରି ହେବନି। ମାତ୍ର ବାତ୍ୟା ଦାନା ବାନ୍ଧିବା ପାଇଁ ଯେଉଁଭଳି ପାଣିପାଗ ଆବଶ୍ୟକ ସେଭଳି ବାତାବରଣ ରହିଛି। ସମୁଦ୍ର ଜଳପତ୍ତନ ତାପମାତ୍ରା ୨୬.୫ ଡିଗ୍ରୀ ସେଲସିୟସ୍ ଟପିଲେ ଲଘୁଚାପ ଦାନା ବାନ୍ଧିପାରେ। ବର୍ତ୍ତମାନ ସମୁଦ୍ର ଜଳପତ୍ତନ ତାପମାତ୍ରା ୨୯/୩୦ ଡିଗ୍ରୀ ପାଖାପାଖି ରହୁଛି। ତାପମାତ୍ରା ସହ ଆର୍ଦ୍ରତା ବି ଅଧିକ ଅଛି। ଯଦି ଏ ବର୍ଷ ବାତ୍ୟା ସୃଷ୍ଟି ହୁଏ, ତା’ର ପ୍ରଭାବ ବ୍ୟାପକ ରହିବା ସହ ଏହା ଶୀଘ୍ର ଘନୀଭୂତ ହେବା ସମ୍ଭାବନା ଅଛି। ଅକ୍ଟୋବରରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍ ରହିଛି। ଏହା ସ୍ୱାଭାବିକ ନୁହେଁ। ଅର୍ଥାତ୍ ଅସ୍ୱାଭାବିକ ଗରମ ସ୍ଥିତି ରହିଛି। ସମୁଦ୍ର ତାପମାତ୍ରା ୩୦ ଡିଗ୍ରୀ ପାଖାପାଖି ରହୁଛି। ଏଭଳି ପାଗ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ହେବା ସହ ଏକ ସଙ୍କେତ ଦେଇଥାଏ। ମାତ୍ର ବାତ୍ୟା ହେବ ବୋଲି ଏବେଠାରୁ କହି ହେବନି ବୋଲି କହିଛନ୍ତି ବୈଜ୍ଞାନିକ।