ନୂଆଦିଲ୍ଲୀ/ଭୁବନେଶ୍ୱର: ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଜବାବ୍ ତଲବ୍। ଓଡ଼ିଶା ସରକାରଙ୍କ ଠାରୁ ଜବାବ୍ ମାଗିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଆସନ୍ତା ୬ ସପ୍ତାହ ଭିତରେ ଜବାବ୍ ଦେବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୪ ବର୍ଷ ୫ ମାସର ଜେଲ୍ ଜୀବନ କାଟିବା ପରେ ମୁକ୍ତି ଆବେଦନ କରିଛନ୍ତି ଦାରା ସିଂ। ସୁପ୍ରିମକୋର୍ଟର ଜଷ୍ଟିସ ହୃଷୀକେଶ ରାୟ ଏବଂ ଜଷ୍ଟିସ ଏସ୍ ଭି ଏନ୍ ଭାଟ୍ଟିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏତେଦିନ ଧରି ଜେଲରେ ଥିବା ଦାରା ସିଂହଙ୍କ ମାନସିକ ଅବସ୍ଥା କେମିତି ଅଛି, କିପରି ରହିଛି ତାଙ୍କର ଆଚରଣ ଆଦି ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ।
ଧର୍ମ ରକ୍ଷକ ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ସୁପ୍ରିମକୋର୍ଟରେ ଦାରା ସିଂହଙ୍କ ତରଫରୁ ପକ୍ଷ ରଖିଥିଲେ। ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ଭଳି ଦାରାଙ୍କୁ ମଧ୍ୟ ଆଶ୍ବସ୍ତି ଦିଆଯାଉ ବୋଲି ଦାବି କରିଥିଲେ ବିଷ୍ଣୁ ଜୈନ। ସୂଚନାଯୋଗ୍ୟ ଯେ ୧୯୯୯ ମସିହାରେ ଅଷ୍ଟ୍ରେଲିଆର ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ କେନ୍ଦୁଝର ଜିଲ୍ଲା ମନୋହରପୁରରେ ଜୀବନ୍ତ ଅବସ୍ଥାରେ ପୋଡ଼ି ହତ୍ୟା କରାଯାଇଥିଲା। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଦୋଷୀ ସାବ୍ୟସ୍ତ ହୋଇ ଗତ ୨୪ ବର୍ଷ ୫ ମାସ ହେଲା ଜେଲ୍ ଜୀବନ କାଟୁଛନ୍ତି। ଦାରା ସିଂହଙ୍କୁ ମୁକ୍ତ କରାଯାଉ ବୋଲି ଧର୍ମ ରକ୍ଷକ ଦାରା ସେନା ଏବଂ ଅଖିଳ ଭାରତ ହିନ୍ଦୁ ମହାସଭା ଓଡ଼ିଶା ଶାଖା ପକ୍ଷରୁ ବାରମ୍ବାର ଦାବୀ ହୋଇ ଆସୁଥିଲା।