ଭୁବନେଶ୍ୱର: ଦୀର୍ଘ ୫୦୦ ବର୍ଷର ଅନ୍ତ ଘଟାଇ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି। ପ୍ରଭୁ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଅଗଣିତ ରାମଭକ୍ତଙ୍କ ଉତ୍କଣ୍ଠା ଓ ଆଗ୍ରହକୁ ସମ୍ମାନ ଜଣାଇ ଏବଂ ଦର୍ଶନକୁ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ରେଳ ବିଭାଗର ସହଯୋଗରେ ଅଯୋଧ୍ୟାକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହି କ୍ରମରେ ଓଡ଼ିଶାର ରାମଭକ୍ତଙ୍କ ପାଇଁ ଆଜି ଅଯୋଧ୍ୟାକୁ ଗଡ଼ିଛି ‘ଭୁବନେଶ୍ୱର-ଦର୍ଶନ ନଗର(ଅଯୋଧ୍ୟା) ଆସ୍ଥା ସ୍ପେଶିଆଲ ଟ୍ରେନ୍’। ୧୫ ଶହରୁ ଊର୍ଦ୍ଧ୍ୱ ରାମ ଭକ୍ତ ଏହି ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ଅଯୋଧ୍ୟା ଯାତ୍ରା କରିଛନ୍ତି। ଏହି ସ୍ୱତନ୍ତ୍ର ଟେନଟି ଆସନ୍ତା କାଲି (୭ ତାରିଖ) ସକାଳେ ଅଯୋଧ୍ୟାରେ ପହଞ୍ଚିବ। ଏବଂ ୨୪ ଘଣ୍ଟା ରହଣି ପରେ ୮ ତାରିଖ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରି ୯ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚିବ। ଆଜିର ଏହି ଯାତ୍ରାରେ ପୁରୀ, ନୟାଗଡ଼ ଏବଂ ଜଗତସିଂହପୁର ଜିଲ୍ଲାର ରାମଭକ୍ତ ମାନେ ଗସ୍ତ କରିଥିବା ବେଳେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରୁ ରାମଭକ୍ତମାନେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀ ରାମଲାଲାଙ୍କ ଦର୍ଶନ କରିବେ। ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିରଞ୍ଚି ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ରାଜ୍ୟ ସମ୍ପାଦକ ସରୋଜ କର, ଦିଲୀପ ମଲ୍ଲିକ, ପ୍ରଭାତୀ ପରିଡ଼ା, ସୁକାଶ ପାଣିଗ୍ରାହୀ, ଆଶ୍ରିତ ପଟ୍ଟନାୟକ, ସୁଜିତ୍ କୁମାର ଦାସ୍, ଅଭିଳାଷ ପଣ୍ଡା, ଅଶୋକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।