ଭୁବନେଶ୍ବର: ଆଜି ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ସାମିଲ ହେବେ ବାଦ୍ ପଡ଼ି ଯାଇଥିବା ଆବେଦନକାରୀ। ବାଦ୍ ପଡ଼ିଥିବା ପ୍ରାୟ ୨ ଲକ୍ଷ ୬୭ ହଜାର ଆବେଦନକୁ ଆଉ ଥରେ ଯାଞ୍ଚ ପରେ ନିଷ୍ପତ୍ତି ହେବ। ସେମାନଙ୍କ ମଧ୍ୟରୁ ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆଜି ମିଳିବ ‘ସୁଭଦ୍ରା’ ଟଙ୍କା। ଯେଉଁମାନଙ୍କ ଜମି ସମସ୍ୟା ଯୋଗୁଁ ତାଲିକାରେ ନାଁ’ ନାହିଁ ବା ସେମାନଙ୍କ ନାଁ’ରେ ଜମି ନାହିଁ କିନ୍ତୁ ସେମାନେ ଧାନ ବିକିଛନ୍ତି, ଏହି ବିବାଦରେ ଫିଜିକାଲ ଭେରୀଫିକେସନ ହେବ। ସେମାନଙ୍କର ମଧ୍ୟ ଯାଞ୍ଚ ହୋଇ ସାମିଲ କରାଯିବ। ୨ ଲକ୍ଷ ୬୭ ହଜାର ଆବେଦନକାରୀ ବିଭିନ୍ନ କାରଣ ପାଇଁ ବାଦ୍ ପଡ଼ିଥିଲେ। ସେମାନଙ୍କୁ ଆଉ ଥରେ ଯାଞ୍ଚ କରି ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା। ବିଡ଼ିଓ ମାନଙ୍କୁ ନୋଡାଲ ଏଜେନସି ଦାୟିତ୍ୱ ଦିଆଯାଇଥିଲା। ରିପୋର୍ଟ ଆସିବା ପରେ ଗୁରୁବାର ବୈଠକ କରି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୫ ଲକ୍ଷ ମିସ ମ୍ୟାଚ ହେଉଥିବା ଆବେଦନକାରୀଙ୍କ ସମସ୍ୟା ସମାଧାନ ହୋଇନାହିଁ। ସେମାନେ ଏଥର ସାମିଲ ହେବେ ନାହିଁ। ସେମାନଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ରହିଛି। ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ସେମାନେ ସାମିଲ ହେବେ। ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ କିସ୍ତି ପାଇପାରିବେ। ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ। ବାଦ୍ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା।