ଭୁବନେଶ୍ୱର/କୋରାପୁଟ: ହଳଦୀପତ୍ର ଏବେ ଚାଷୀଙ୍କୁ କରିବ ମାଲାମାଲ୍। ହଲଦୀପତ୍ରରୁ ବାହାରିବ ତେଲ। ଯାହାର ବଜାର ମୂଲ୍ୟ ରହିଛି କେଜି ପିଛା ୧୦ ହଜାର ଟଙ୍କା। କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ଓରମାସର ମିଳିତ ଉଦ୍ୟମରେ ପରୀକ୍ଷାମୂଳକ ଭାବେ ଲକ୍ଷ୍ମୀପୁର ବ୍ଲକ ତୟାପୁଟ ଅଞ୍ଚଳର ଚାଷୀଙ୍କଠାରୁ ସଂଗୃହୀତ ହଳଦୀପତ୍ରରୁ ଆରମ୍ଭ ହୋଇଛି ତୈଳ ଉତ୍ପାଦନ। ଓରମାସର ସହକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଏହା ସଫଳ ହେଲେ ଜିଲ୍ଲାର ଅନ୍ୟ ବ୍ଲକରେ ମଧ୍ୟ ଏହାକୁ ଗୁରୁତ୍ଵ ଦିଆଯିବ। ଅନଲାଇନ ମାର୍କେଟିଂ ଆମାଜନରେ ଏହାର କେଜି ୧୦ ହଜାର ହିସାବରେ ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି। କୃଷି ଉତ୍ପାଦକ ସଙ୍ଗଠନ ଚାଷୀଙ୍କ ଠାରୁ ନଷ୍ଟ ହୋଇଯାଉଥିବା ହଳଦୀପତ୍ର ସଂଗ୍ରହ କରୁଛି। ଅନଲାଇନରେ ହଳଦୀ ତେଲର ଚାହିଦା ରହିଥିବାରୁ ଚାଷୀଙ୍କୁ ଭଲ ଲାଭ ମିଳିବ। ଏହି ତେଲ ଉତ୍ପାଦନ ଲାଗି ଅନ୍ୟ ମେସିନର ଆବଶ୍ୟକତା ପଡିବନି। ଯେଉଁ ମେସିନରେ ଲେମନ ଗ୍ରାସରୁ ତେଲ ବାହାର କରାଯାଉଛି, ସେହି ମେସିନରେ ହିଁ ହଳଦୀପତ୍ରରୁ ତେଲ ବାହାର କରାଯାଉଛି। ହଲଦୀପତ୍ର ତେଲରୁ ଅନେକ ଚର୍ମରୋଗ ଠିକ୍ ହୋଇପାରୁଥିବାରୁ ଏହାର ଚାହିଦା ବଜାରରେ ବେଶ୍ ଅଧିକା ରହିଛି। ଲକ୍ଷ୍ମୀପୁର ତୟାପୁଟରେ ଆଦିବାସୀ ମହିଳାଙ୍କୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ତେଲ ଉତ୍ପାଦନ ଆରମ୍ଭ ହୋଇଛି । ଏଠାରେ ୩ ଶହ କେଜି ଶୁଖିଲା ପତ୍ରରୁ ୧ କେଜି ତେଲ ଓ ପଟ୍ଟାଙ୍ଗିରେ ଏକ କ୍ୟୁଣ୍ଟାଲ ପତ୍ରରୁ ୫୦୦ ଗ୍ରାମ ତେଲ ବାହାର କରାଯାଇଛି।