ସମ୍ବଲପୁର: ଏକ କାର୍ ଏବଂ ହାଇୱା ମଧ୍ୟରେ ଧକ୍କା ଘଟି ଦୁଇ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି। ସମ୍ବଲପୁର- ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକଙ୍କ ସହ ଜଣେ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମ ବସତଃ ଭୁବନେଶ୍ୱର ଯାଇଥିଲେ। ଭୁବନେଶ୍ଵରରୁ ସେମାନେ ଟ୍ରେନରେ ସମ୍ବଲପୁର ଫେରିଥିଲେ। ଏହାପରେ ରେଳ ଷ୍ଟେସନରେ ଓହ୍ଲାଇ ଏକ କାର୍ ଯୋଗେ ସେମାନେ ଗାଁକୁ ଫେରୁଥିବା ବେଳେ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ହାଇୱା ଧକ୍କାରେ କାରଟି ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଦେବେନ୍ଦ୍ର ଓ ମୁରଲୀଧରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୪ ଜଣ ଆହତ ହୋଇଥିଲେ। ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଲିସ ହାଇୱାଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।
ତେବେ, ଦୁର୍ଘଟଣାରେ ଦୁଇ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣାରେ ଆସିଛି ଟ୍ବିଷ୍ଟ୍। ଏହା ଦୁର୍ଘଟଣା ନୁହେଁ, ହତ୍ୟା ଷଡଯନ୍ତ୍ର ଥିଲା ବୋଲି ଅଭିଯୋଗ କରିଛନ୍ତି ଆହତ ୨ ବିଜେପି କର୍ମୀ। ଜାଣିଶୁଣି ହତ୍ୟା କରିବାକୁ ଟ୍ରକ୍ ଧକ୍କା ମାରିଥିବା ଅଭିଯୋଗ କରିଛନ୍ତି ଦୁଇ ବିଜେପି କର୍ମୀ। ସେମାନଙ୍କ କହିବା ଅନୁସାରେ ହାଇୱାଟି ତାଙ୍କ ଗାଡ଼ିକୁ ବାରମ୍ୱାର ଧକ୍କା ଦେଇଥିଲା। ଡ୍ରାଇଭରକୁ ଗାଡ଼ି ସ୍ପିଡ୍ କରିବାକୁ କହିଥିଲୁ। ଏହା ସତ୍ତ୍ୱେ ମଧ୍ୟ ଗାଡ଼ି ପିଟିଦେଲା। ଥରେ ଧକ୍କା ଦେଇଥିଲା ଗାଡ଼ି। ୧୦୦/୨୦୦ ମିଟର ପରେ ପୁଣି ଥରେ ଧକ୍କା ହେଲା। ତେଣୁ କେହି ଜାଣିଶୁଣି ଧକ୍କା ଦେଇଥିବା ଭାବୁଛୁ ବୋଲି କହିଛନ୍ତି ଆହତ ବ୍ୟକ୍ତି। ସେହିପରି ଅନ୍ୟଜଣେ ବିଜେପି କର୍ମୀଙ୍କ କହିବା ଅନୁସାରେ, ଟ୍ରକ୍ ବାରମ୍ବାର ୩ ଥର ପଛକୁପଛ ଯାଇ କାର୍କୁ ଧକ୍କା ଦେଇଥିଲା। ପ୍ରଥମେ ଯେତେବେଳେ ଧକ୍କା ଦେଲା ସେତେବେଳେ ଆମେ ଭାବିଲୁ ଭୁଲବଶତଃ ଦୁର୍ଘଟଣା ହେଲା। ମାତ୍ର ଟ୍ରକଟି ଜାଣିଶୁଣି ବାରମ୍ବାର ପଛକୁ ପଛ ଧକ୍କା ଦେଇଥିଲା।