Thursday, June 19, 2025

ଓଢ଼ଣି ଷଷ୍ଠୀ: ମହାପ୍ରଭୂ ପିନ୍ଧିବେ ଶୀତବସ୍ତ୍ର

ପୁରୀ: ଆଜି ଓଢ଼ଣି ଷଷ୍ଠୀ। ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଆଜି ମହାପ୍ରଭୂ ପିନ୍ଧିବେ ଶୀତବସ୍ତ୍ର। ଆଜିଠୁ ଘୋଡ଼ଲାଗି ହେବେ ଶ୍ରୀଜୀଉ। ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ହେବ ଓଢଣ ଷଷ୍ଠୀ ନୀତି। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ନାମରେ ପରିଚିତ। ଶୀତର ପ୍ରକୋପ କମି ଆସିଲେ ସାଧାରଣ ଲୋକେ ଯେପରି ପତଳା ଋଦର ଓ ଜାମା ପରିଧାନ କରିଥାନ୍ତି, ମହାପ୍ରଭୁ ସେହିପରି ବସନ୍ତ ପଞ୍ଚମୀଠାରୁ ଦୋଳପୂର୍ଣ୍ଣିମା ପର୍ୟ୍ୟନ୍ତ ଜାମା ବା ଟେକାପୋଡ଼ ପରିଧାନ କରିଥାଆନ୍ତି। ଶ୍ରୀମନ୍ଦିରରେ ପାଳିତ ହେଉଥିବା ପ୍ରସିଦ୍ଧ ଦ୍ଵାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ଶାସ୍ତ୍ରରେ ଉଲ୍ଲେଖ ରହିଛି, ମାନବ ସର୍ବାଭିଷ୍ଟ ଫଳପ୍ରାପ୍ତି ନିମନ୍ତେ ଜଗଦୀଶ୍ବରଙ୍କୁ ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଉତ୍ତମ ବସ୍ତ୍ରମାନଙ୍କ ଦ୍ଵାରା ଆଚ୍ଛାଦିତ କରିବା ବିଧେୟ। ସେହିପରି ସ୍କନ୍ଦ ପୁରାଣ, ବାମଦେବ ସଂହିତା ଓ ନୀଳାଦ୍ରିମହୋଦୟାଦି ଆଦି ଗ୍ରନ୍ଥ ଗୁଡ଼ିକରେ ମଧ୍ୟ ମହାପ୍ରଭୁଙ୍କର ଏହି ପ୍ରିୟ ଯାତ୍ରା ସମ୍ବନ୍ଧରେ ଉଲ୍ଲେଖ ରହିଛି ଏହି ଉତ୍ସବ ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହେଉଥିଲେ ମଧ୍ୟ ଏହାର ଅଧିବାସ ବିଧି ତାହାର ପୂର୍ବଦିନ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ। ପଞ୍ଚମୀ ଦିନ ମହାପ୍ରଭୁଙ୍କର ରାତ୍ର ଚନ୍ଦନଲାଗି ବଢ଼ିବା ପରେ ପତନି, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନମୋହନଙ୍କ କବରି, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧୁବାସ ପାଇଁ ରହିଥାଏ।ଏହା ଆଗରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ। ପୂଜାପଣ୍ଡାଙ୍କ ଦ୍ଵାରା କଟାଯାଇଥିବା ତିନିଗୋଟି ମଣ୍ଡଳ ଉପରେ ଚାଙ୍ଗଡ଼ାରେ ଘୋଡ଼ମାନଙ୍କୁ ରଖାଯିବା ପରେ ଅଧିବାସ କର୍ମ ବଢ଼ିଥାଏ। ଏହାପରେ ଦ୍ଵାର ବନ୍ଦ କରାଯାଇ ମୁଦ ଦିଆଯାଇଥାଏ। ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କର ମୈଲମ ବଢ଼ିବା ପରେ ପାଣିପଡ଼ି ମହାସ୍ନାନ ବଢ଼େ ଏହାପରେ ଠାକୁରମାନେ ଝିନ ପତନି ଲାଗି ହୁଅନ୍ତି। ସର୍ବାଙ୍ଗଲାଗି ବଢ଼ିବା ପରେ ପଇଡ଼, ବିଡ଼ିଆ, ଘଷାମଣୋହି, ବଢ଼ି ଆଳତି ହେବା ପରେ ପହୁଡ଼ ହୋଇଥାଏ। ଏହି ଦିନ ଅଧୁବାସ ଯୋଗୁଁ ପୁଷ୍ପାଞ୍ଜଳି ଠାକୁର ବିଜେ ହୁଅନ୍ତି ନାହିଁ।

ଷଷ୍ଠୀଦିନ ମହାପ୍ରଭୁଙ୍କର ସକାଳଧୂପ ବଢ଼ିବା ପରେ ମୈଲମ ହୁଏ । ଗତ , ଦିନ ଭୋଗମଣ୍ଡପ ଘରେ ଅଧୁବାସିତ ହୋଇଥିବା ଘୋଡ଼ମାନଙ୍କୁ ଘଣ୍ଟ, ଛତା, କାହାଳି ସହ ପଟୁଆରରେ ବଡ଼ଦେଉଳକୁ ସାଢ଼େ ତିନିବେଢ଼ା ଓ ରତ୍ନସିଂହାସନକୁ ସାଢ଼େ ତିନିବେଢ଼ା, ଏହିପରି ସମୁଦାୟ ସାତବେଢ଼ା ପ୍ରଦକ୍ଷିଣ କରାଇ ରତ୍ନ ସିଂହାସନକୁ ବିଜେ କରାଯାଏ। ସିଂହାସନରେ ଠାକୁର ମାନଙ୍କର ପାଗ ଓ ଘୋଡ଼ଲାଗି ବଢ଼ି ଲେ ଛଅମୂର୍ତ୍ତି ଅଳକାଂର ଲାଗିହୋଇ ଶ୍ରୀଅଙ୍ଗରେ ପ୍ରସାଦଲାଗି ବଢ଼ିଲେ ତିନିବାଡ଼ରେ ବନ୍ଦାପନା ହୋଇଥାଏ।ଏହାପରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥାଏ। ପ୍ରତିଦିନ ଅବକାଶ ପରେ, ମଧାହ୍ନଧୂପ ଓ ସନ୍ଧ୍ୟାଧୂପ ପରେ ଘୋଡ଼ଲାଗି ହୁଏ। ଘୋଡ଼ଲାଗି ବେଶରେ ଗଡ଼ା (ସୂତାବସ୍), ଖଣ୍ଡୁଆ ପାଟ, ଭେଲ୍ଭେଟ୍ର ଘୋଡ଼ବସ୍ତ୍ର, ଫୁଟା, ମଫଲର, ଟୋପର ଆଦି, ବ୍ୟବହୃତ ହୋଇଥାଏ। ଏହି ବେଶରେ ଠାକୁରମାନେ ଚୂଳଲାଗି ହୁଅନ୍ତି। ବିଧୁ ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles