Wednesday, June 18, 2025

ବଦଳି ଗଲାଣି ଗାଁ’ ର ଛବି ..

ବଦଳି ଗଲାଣି ଗାଁ’ ର ଛବି
ନଈ ତୁଠେ ଆଉ ଆମ ଝିଅ ବୋହୁ
ଗାଧୋଉ ନାହାନ୍ତି
ହଳଦୀ ମାଖି l
କୁମ୍ଭାଟୁଆ ସ୍ତବ ପାଠ କରୁନାହିଁ
ପକ୍ଷୀର କାକଳି ଗଲା ନିରବୀ
ସାଧବବୋହୁ ଲାଜେଇ ଲୁଚିଛି
ଏଇତ ଆମର ଗାଁ’ର ଛବି l
ଚଷାଭାଇ ଆଉ ଗାଉନାହିଁ ଏଠି
ସକାଳୁ ହଳୁଆ ଗୀତ
ଗୋଧୂଳି ବେଳାରେ ବଇଁଶୀର ସୁର
ଯାଇଛି ହଜି
ଏଇତ ଆମର ଗାଁ’ର ଛବି l
ଧୂଳିର ଚାଦର ଘୋଡେଇ ହେଇଚି
ଗାଁ’ ଭାଗବତ ଟୁଙ୍ଗି
ଦେଉଳ ବେଢାରେ ସଞ୍ଜ ସକାଳେ
ଘଣ୍ଟ ଖୋଳ ତାଳ
ଭକତ ନଥାଇ ବାଜୁଛି
ଗାଁ’ ଟା ବଦଳି ଯାଇଛି l
ଭାଇଚାରା ଆଉ ଖୋଜିଲେ ମିଳୁନି
ଯେଝା ହାତେ ଯିଏ ଚଉଦ ପା
ଗ୍ରାମ ସଭା ଆଉ ସଂଜରେ ବସୁନି
ନିରବଦ୍ରଷ୍ଟା ଗାଁ’ ମୁରବି
ବଦଳି ଗଲାଣି ଗାଁର ଛବି l
ବୁଢ଼ା ବୟସରେ ବାପାମାଆ ଦୁହେଁ
ଭିଟାମାଟି ଛନ୍ତି ଜଗି
ପୁଅବୋହୁ ଦୁହେଁ ସହରେ ରହନ୍ତି
ଗାଁ’ ଘର ଭୁତକୋଠି
ଏଇ ଆମ ଗାଁ ଛବି l
ସହର ସହର ବାସିଲାଣି ଗାଁ
ମଧୁରତା ନାହିଁ ଆଉ କୋଉଠି
ସଚି ରାଉତରାୟଙ୍କ
ଛୋଟ ଗାଁ’ ଛବି
ଗୀତରେ କେବଳ ରହିଥିବଟି
ବଦଳି ଗଲାଣି ଗାଁ’ର ଛବି l
ଦିପ୍ତୀରଞ୍ଜନ ପାଇକରାୟ
ରାମେଶ୍ୱର ଗଡ଼, ଖୋର୍ଦ୍ଧା

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe

Latest Articles