ଭୁବନେଶ୍ୱର/ରାଉରକେଲା: ବଳାତ୍କାର ଅଭିଯୋଗରେ ଜେଲ୍ ଯାଇ ବେଲରେ ଆସିଥିବା ଜଣେ କାମାନ୍ଧ ଯୁବକକୁ ତୀର ମାଡ଼ କରି ହତ୍ୟା କରିଛନ୍ତି ପିଡ଼ିତା ମହିଳା। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି ଏପରି ଏକ ଘଟଣା। କୁଆଁରମୁଣ୍ଡା ବ୍ଲକ ପଛପଟ ପାଣି ଟାଙ୍କି ନିକଟସ୍ଥ ପୋଖରୀରୁ ତୀର ବିଦ୍ଧ ମୃତ ଶରୀରକୁ ରବିବାର କୁଆଁରମୁଣ୍ଡା ପୋଲିସ ଓ ସୁନ୍ଦରଗଡ଼ ଅଗ୍ନିଶମ ଟିମ୍ ସୁନ୍ଦରଗଡ଼ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ଉଦ୍ଧାର କରିଛି। ମୃତକଙ୍କ ଛାତିରେ ୩ଟି ତୀର ପଶିଥିବା ଦେଖିବାକୁ ମିଳିଛି। ମୃତକ ହେଉଛନ୍ତି ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଅନୁରାଜ ଓରଫ ରାଜ କୁମାର ଯାଦବ(୩୬)। ପୋଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ମୃତ ରାଜକୁମାର ଜଣେ ପାଣି ପାଇପ ମିସ୍ତ୍ରୀ ଥିଲେ। ସେ କୁଆଁରମୁଣ୍ଡା ବ୍ଲକ ପଛ ପାର୍ଶ ନିର୍ମାଣାଧୀନ ପାଣି ଟାଙ୍କିରେ କାମ କରୁଥିଲା ବେଳେ ଉକ୍ତ ସ୍ଥାନରେ ଜଣଙ୍କ ଘରେ ଭଡ଼ାରେ ରହୁଥିଲେ। ୨୦୨୩ରେ ରାଜକୁମାର ତାଙ୍କ ପାଖ ପଡ଼ୋଶୀ ଥିବା ଜନୈକା ମହିଳାଙ୍କୁ ବଳପୂର୍ବକ ବଳାତ୍କାର କରିବା ଅଭିଯୋଗରେ ସେ ଜେଲ୍ ଯାଇଥିଲେ। ନିକଟରେ ଜାମିନରେ ଆସି ରାଜକୁମାର ପୁଣି ଶନିବାର ରାତିରେ ସେହି ମହିଳାଙ୍କ ଘରେ ପଶି ଧମକଚମକ ସହ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ମହିଳା ଜଣଙ୍କ ତୀର ମାଡ଼ କରି ରାଜକୁମାରଙ୍କ ଛାତି ଚିରି ତାଙ୍କୁ ହତ୍ୟା କରିଥିଲେ।