ଭୁବନେଶ୍ୱର: ଆଜି ହେଉଛି ଜ୍ୟେଷ୍ଠ ଅମାବାସ୍ୟା। ଓଡ଼ିଶାରେ ଏହାକୁ ସାବିତ୍ରୀ ଅମାବାସ୍ୟା ଭାବରେ ପାଳନ କରାଯାଇଥାଏ। ଏହି ତିଥିରେ ପାଳିତ ହୋଇଥାଏ ସାବିତ୍ରୀ ବ୍ରତ। ଏହିଦିନ ସାରା ଓଡ଼ିଶାରେ ସଧବା ହିନ୍ଦୁ ନାରୀମାନେ ପରିବାର ତଥା ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରନ୍ତି। ସଧବା ମହିଳା ମାନେ ମହାସତୀ ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରନ୍ତି। କେହି କେହି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି ତ’ ପୁଣି ଅନ୍ୟ କେହି ଘରକୁ ପୂଜକଙ୍କୁ ଡକାଇ ପୂଜା କରୁଛନ୍ତି। ସାବିତ୍ରୀ ବ୍ରତ ଉପଲକ୍ଷେ ସକାଳ ହେଉ ହେଉ ମଥାରେ ସିନ୍ଦୂର, ହାତରେ ନୂଆ ଚୁଡ଼ି, ରଙ୍ଗ ବେରଙ୍ଗ ଶାଢିରେ ସଜେଇ ହୋଇ ପୂଜାର୍ଚ୍ଚନା ପରେ ମହିଳା ମାନେ ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି। ଏହି କାରଣରୁ ଆଜି ବିଭିନ୍ନ ମନ୍ଦିରରେ ବିଶେଷତଃ ଶିବ ମନ୍ଦିର ଗୁଡ଼ିକରେ ପ୍ରବଳ ଭିଡ଼ ପରିଲିଖିତ ହୋଇଥିଲା।