କାହିଁ କେଉଁ ପୂରାତନ କାଳରୁ ମଣିଷ ସମାଜ ଜଙ୍ଗଲରେ ଥିବା ବୃକ୍ଷଲତାଙ୍କ ଉପରେ ନିର୍ଭରଶୀଳ। ମୁନିଋଷି ମାନେ ତାଙ୍କ ସାଧନାରସ୍ଥଳୀ ଭାବରେ ଜଙ୍ଗଲକୁ ବ୍ୟବହାର ବ୍ୟବହାର କରୁଥିଲେ। ସେହି ଘଞ୍ଚ ଜଙ୍ଗଲ ମଧ୍ୟରେ ସେମାନଙ୍କ ହୋମ – ଯଜ୍ଞ ଏବଂ ଓଁ କାର ଧ୍ୱନୀ ଚାରିଆଡ଼େ ପ୍ରକମ୍ପିତ ହେଉଥିଲା। କେବଳ ସେତିକି ନୁହେଁ, ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଚିକିତ୍ସା ଶାସ୍ତ୍ର, ଯୁଦ୍ଧବିଦ୍ୟା, ବିଭିନ୍ନ ପ୍ରକାରର ଶାସ୍ତ୍ରବିଦ୍ୟା ଇତ୍ୟାଦି ଜଙ୍ଗଲରେ ହିଁ ସୃଷ୍ଟି ହୋଇଥିଲା। ସମସ୍ତ ରାଜକୁମାର ମାନଙ୍କ ଶିକ୍ଷାକେନ୍ଦ୍ର ମଧ୍ୟ ମୁନିଋଷି ମାନଙ୍କର ଜଙ୍ଗଲରେ ଥିବା ଆଶ୍ରମ ମଧ୍ୟରେ ଥିଲା। କେବଳ ମୁନିଋଷି କିମ୍ବା ପଶୁପକ୍ଷୀ ଇତ୍ୟାଦି ଜଙ୍ଗଲକୁ ଆଶ୍ରୟସ୍ଥଳ କରିଥିଲେ ତା’ ନୁହେଁ, ନିଘଞ୍ଚ ଜଙ୍ଗଲର ନୈସର୍ଗିକ ଗୁଣଦ୍ୱାରା ଆକାଶରେ ଭାସି ବୁଲୁଥିବା ମେଘମାଳାମା ନେ ମଧ୍ୟ ଆକର୍ଷିତ ହେଉଥିଲେ। ଯଦ୍ୱାରା ଭାରତ ବର୍ଷରେ ବର୍ଷାର ପରିମାଣ ଅଧିକରୁ ଅଧିକ ବଢ଼ିବା ସହିତ ସ୍ବଚ୍ଛ ଜଳଧାରାର ପ୍ରବାହ ମଧ୍ୟ ଅଧିକରୁ ଅଧିକ ଥିଲା ଏବଂ ସେଥିରୁ ସୃଷ୍ଟି ହେଉଥିଲେ ଅସଂଖ୍ୟ ନଦୀ ଓ ଝରଣା। ଦିନଥିଲା ଜଙ୍ଗଲ ମାନଙ୍କରୁ ଜଙ୍ଗଲଜାତ ଦ୍ରବ୍ୟ ପ୍ରଚୁର ପରିମାଣରେ ମିଳୁଥୁଲା, ଯାହା ଧୀରେଧୀରେ କମିବାରେ ଲାଗିଛି। ଅନେକ ଦୁର୍ଲଭ ଔଷଧିୟ ବୃକ୍ଷ ଯଥା ଲାଖ, ଚନ୍ଦନ, ହରିଡ଼ା, ବାହାଡ଼ା, ଅଁଳା, ବାଉଁଶ ଅନେକ ମୂଲ୍ୟବାନ ଗଛ ସହିତ ହାତୀ, ବାଘ, ଭାଲୁ, ହରିଣ, ସମ୍ବର, ମୟୂର, ଝିଙ୍କ ଇତ୍ୟାଦିଙ୍କର ଅଭାବ ଯୋଗୁଁ ଜଙ୍ଗଲରୁ ମିଳୁଥିବା ଆର୍ଥିକ ସହାୟତା ମଧ୍ୟ କମିବାକୁ ଲାଗିଲାଣି। ତେଣୁ ରୁଗ୍ଣ ଆର୍ଥିକ ଅବସ୍ଥାର ଉନ୍ନତି ନିମନ୍ତେ ଜଙ୍ଗଲ ଅପରିହାର୍ଯ୍ୟ ଅଟେ।
ଆମେ ଜାଣିଛୁ ଯେ, ଜଙ୍ଗଲ ଯୋଗୁଁ ବର୍ଷା ଏବଂ ବର୍ଷା ଯୋଗୁଁ ଉର୍ବର ମୂର୍ତ୍ତିକା ତା’ ସହିତ ଉନ୍ନତ କୃଷିକାର୍ଯ୍ୟ ମଣିଷ ସମାଜ ପାଇଁ ଅପୂର୍ବ ବରଦାନ ସଦୃଶ। କାଳକ୍ରମେ ଦେଖାଯାଉଛି ଜଙ୍ଗଲ ନଷ୍ଟ ଯୋଗୁଁ ଉପଯୁକ୍ତ ପରିମାଣର ସ୍ୱଚ୍ଛଜଳ ଏବଂ ବିଭିନ୍ନ ପ୍ରକାର ଉର୍ବର ମୂର୍ତ୍ତିକା ର ପରିମାଣ ମଧ୍ୟ କମିକମି ଚାଲିଛି। ଯଦ୍ୱାରା ଆବଶ୍ୟକ ଥିବା ପରିଷ୍କାର ଜଳ ମଧ୍ୟ ଝରଣା ନଦୀ, ପୋଖରୀ ଏବଂ ଗାଡ଼ିଆ ମାନଙ୍କରେ ଠିକ୍ ପରିମାଣରେ ରହୁନି। ତା ସହିତ ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି। ଏଥିପାଇଁ ପରିବେଶ ସନ୍ତୁଳନ ମଧ୍ୟ ଠିକ୍ ଭାବରେ ରହୁନାହିଁ। ଜଳବାୟୁ ମଧ୍ୟ ବିଚିତ୍ର ଭାବରେ ପରିବର୍ତ୍ତନ ହେବାରେ ଲାଗିଛି। ସମସ୍ତେ ସମସ୍ତଙ୍କୁ କେବଳ ଦୋଷ ଲଦି ଚାଲିଛନ୍ତି ଏବଂ ବିଭିନ୍ନ ପ୍ରକାରର ଉନ୍ନତିକରଣ ଯଥା ରେଲୱେ, ହାଇୱେ ତା’ ସହିତ ବଡ଼ ବଡ଼ ନଦୀବନ୍ଧ, ବଡ଼ ବଡ଼ କମ୍ପାନୀ ଏବଂ କୋଠାବାଡ଼ି ଆଦି ଉନ୍ନତିକରଣ କାର୍ଯ୍ୟ ଯୋଗୁଁ ଅନେକ ଜଙ୍ଗଲ ମଧ୍ୟ ନଷ୍ଟ ହେଉଛି।
ମାତ୍ର କୌଣସି ଉନ୍ନତିକରଣକୁ ବନ୍ଦକରି ହେଉନି କିମ୍ବା ପ୍ରାକୃତିକ ଦୁର୍ବିପାକକୁ ମଧ୍ୟ ବନ୍ଦକରି ହେଉନି। କାଳକ୍ରମେ ଦେଖାଯାଉଛି ଯେଉଁ ଓଡ଼ିଶା ଦିନେ ୪୦% ଭାଗ ଜଙ୍ଗଲଦ୍ବାରା ପରିପୂର୍ଣ୍ଣ ଥିଲା ତାହା ସଂକୀର୍ଣ ହୋଇଚାଲିଛି। ଓଡ଼ିଶାର ଯେଉଁ ଜିଲ୍ଲା ଗୁଡ଼ିକ ଯଥା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ ଢେଙ୍କାନାଳ ଦିନେ ଜଙ୍ଗଲ ପାଇଁ ପ୍ରସିଦ୍ଧି ଲାଭ କରିଥିଲା ତାହା ଏବେ ନିଜର ସୌନ୍ଦର୍ଯ୍ୟ ହରାଇ ଟାଙ୍ଗରା ଭୂମି ପାଲଟିଛି। ଯେଉଁ ନଈ କୂଳରେ ଠିଆ ହେଲେ ନିଜ ମନର ଦୁଃଖ ଦୂର ହେଉଥିଲା ତାଙ୍କୁ ଦେଖିଲେ ଆମ ମନ ଦୁଃଖରେ ଭରି ଯାଉଛି। ଏଥିପାଇଁ ସରକାର ବିଭିନ୍ନ ସମୟରେ ଜଙ୍ଗଲ ବୃଦ୍ଧି ନିମନ୍ତେ ବୃକ୍ଷରୋପଣ କାର୍ଯ୍ୟକର୍ମ ବନ ବିଭାଗ ହାତରେ କରାଇଥାଆନ୍ତି। ଏଥିରେ ଜଙ୍ଗଲର କ୍ଷମତ କ୍ଷମତା କେତେବଢ଼େ ବା କମେ ତାହା କେହି ଆକଳନ କରି ପାରନ୍ତିନି । ପ୍ରାୟ ଆଶାଢ଼ ମାସରେ ଏକ ସପ୍ତାହ ଧରି “ବନ ମହୋତ୍ସବ” କାର୍ଯ୍ୟକ୍ରମ ହୋଇଆସୁଛି। ମାତ୍ର ଏ’ସବୁର ଊର୍ଦ୍ଧ୍ବକୁ ଯାଇ ଆମର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସମଗ୍ର ଦେଶବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମର ପ୍ରଚାର କରିଛନ୍ତି। ଏଥିରୁ ଏହି ଲାଭ ମିଳୁଛି ଯେ, ସାଧାରଣ ଲୋକଟିଏ ମା’ର ସ୍ମୃତିକୁ ଉଜ୍ଜିବୀତ କରିବା ପାଇଁ ଗଛଟିଏ ପୋତିବା ଆରମ୍ଭ କରିଛି। ଏହାଦ୍ଵାରା ପ୍ରାୟ ଏକମାସ ମଧ୍ୟରେ ସହର, ବଜାର ଗାଁ, ଗଣ୍ଡାରେ ରହୁଥିବା ଲୋକମାନଙ୍କ ମନରେ ବୃକ୍ଷରୋପଣ ଓ ଜଙ୍ଗଲ ପ୍ରତି ଏକ ସଙ୍କଳ୍ପ ମନୋଭାବ ତଥା ସମ୍ମାନ ସୃଷ୍ଟି ହୋଇ ଏକ ଜାଗ୍ରତ ଧାରା ପ୍ରଭାହିତ ହେଉଛି। ଏପରି କି ଯେଉଁ ଜଙ୍ଗଲ ଅଧିବାସୀ କହୁଥିଲେ ଆମେ ଜଙ୍ଗଲର ସେମାନେ ଏବେ କହିଲେଣି ଜଙ୍ଗଲ ତିଆରି ଦାୟିତ୍ୱ ମଧ୍ୟ ଆମର।
ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଓଡ଼ିଶାର ଉପ- ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମହାଶୟା ସମସ୍ତଙ୍କ ମନୋବଳକୁ ବେଶ୍ ବଢ଼ାଇ ପାରିଛନ୍ତି, ଏଥରେ ଟିକେ ବି ସନ୍ଦେହ ନାହିଁ। “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମକୁ ରାଜ୍ୟର ମହିଳାମାନେ ଆପଣେଇଛନ୍ତି ଏବଂ ଗାଁ ଗାଁ ବୁଲି ଗଛ ଲଗାଉଛନ୍ତି। ଏଥିପାଇଁ ଆମ ଉପ- ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ରୀ। ସତରେ ଯଦି ପ୍ରଧାନ ମନ୍ତ୍ରୀଙ୍କ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଉପକାରିତା ସମସ୍ତେ ହୃଦୟଙ୍ଗର କରି ପାରିବେ ଏବଂ ଗଛଗୁଡ଼ି କର ରକ୍ଷଣାବେକ୍ଷଣରେ ଲାଗିପଡ଼ିବେ ତାହାଲେ ନିଶ୍ଚିତଭାବେ ଆମ ପ୍ରକୃତିର ପରିବର୍ତ୍ତନ ଘଟିବ। ଆମ ପ୍ରକୃତିର ପରିବର୍ତ୍ତନ ଦ୍ଵାରା ମନରେ ସୁନ୍ଦରତା ଭରିଯିବ ଏବଂ ପରିବେଶର ପରିବର୍ତ୍ତନ ମଧ୍ୟ ପରିଲକ୍ଷିତ ହେବ। କାଳକ୍ରମେ ଜଙ୍ଗଲ ସମ୍ପଦର ପରିବୃଦ୍ଧି ଘଟିବା ସହିତ କୃଷି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟି ଆମଦାନୀ ଏବଂ ରପ୍ତାନୀ ବଢ଼ିଯିବ। ଏହି କାର୍ଯ୍ୟକ୍ରମରେ କେବଳ ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାର ଉପ- ମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ସମସ୍ତ ଛାତ୍ରଛାତ୍ରୀ, ଯୁବକଯୁବତୀ ଏବଂ ପୁରୁଷ ମହିଳା ମାନଙ୍କର ନିରନ୍ତର ଯୋଗଦାନ ଆମ ଅଧାଜଳା ଭାରତବର୍ଷକୁ ସୁନ୍ଦର ସବୁଜିମାରେ ପହଞ୍ଚାଇ ପାରିବ।
– ଚିତ୍ରଲେଖା ମହାନ୍ତି, ଅବସରପ୍ରାପ୍ତ ଅଧ୍ୟକ୍ଷା
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ବିଜେପି ଓଡ଼ିଶା